ଛାମୁଣ୍ଡିଆରେ ଖୋଲିଲା ଧାନମଣ୍ଡି

ଗଣିଆ,୨୨।୧୨(ଡି.ଏନ.ଏ.)-ଗଣିଆ ବ୍ଲକ ଛାମୁଣ୍ଡିଆ ସେବା ସମବାୟ ସମିତି ତରଫରୁ ଶନିବାର ସମିତି କାର୍ଯ୍ୟାଳୟ ପରିସରରେ ଚଳିତବର୍ଷର ଧାନମଣ୍ଡି ଖୋଲାଯାଇଛି ।  ପୂଜାର୍ଚ୍ଚନା ପରେ ଛାମୁଣ୍ଡିଆ ଅଞ୍ଚଳର ୧୨ଜଣ ଟୋକନ୍‌ଧାରୀ ଚାଷୀଙ୍କ ଠାରୁ ୨ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା ।  ମଣ୍ଡିରେ ଧାନକ୍ରୟ ସମୟରେ ଦଶପଲ୍ଲା ସ୍ଥିତ ପାତ୍ର ଫୁଡ୍ସ ମିଲ୍‌ର କର୍ମଚାରୀମାନେ ଧାନର ମାନ ପରୀକ୍ଷା କରିବା ସହ ସରକାର ଧାର୍ଯ୍ୟ କରିଥିବା ଉଚିତ ମୂଲ୍ୟରେ ଧାନକ୍ରୟ କରିଥିଲେ ।  ଏହି ଅବସରରେ ଛାମୁଣ୍ଡିଆ ସେବା ସମବାୟ ସମିତିର ସମ୍ପାଦକ କାମେଶ୍ୱର ସାହୁ, ନୟାଗଡ଼ ଜିଲା ନିୟନ୍ତ୍ରଣ ବଜାର କମିଟିର କର୍ମଚାରୀ ବସନ୍ତ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।  ତେବେ ଛାମୁଣ୍ଡିଆ ସେବା ସମବାୟ ସମିତି ଅଧୀନରେ ଚଳିତ ବର୍ଷ ୧୮୫ଜଣ ଚାଷୀ ଅନଲାଇନରେ ଧାନ ବିକ୍ରୟ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଆସନ୍ତା ସୋମବାର ଆଡ଼କଟା ପଞ୍ଚାୟତର ଗୋପୀ ବଲ୍ଲଭପୁର ସେବା ସମବାୟ ସମିତି, ମଙ୍ଗଳବାର ଗଣିଆ ଓ ଓସ୍ତିଆ ସେବା ସମବାୟ ସମିତି, ବୁଧବାର ବେଲପଡ଼ା ପାଟଣା ସେବା ସମବାୟ ସମିତିରେ ଚଳିତ ବର୍ଷର ଧାନମଣ୍ଡି ଖୋଲାଯିବ ।