ଛାତ୍ରୀ ନିବାସର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଜୟପୁର,୧୨।୨(ଡି.ଏନ୍‌.ଏ.) – ଜୟପୁର ବ୍ଲକ ବାମୁଣିପୁଟରେ ମଙ୍ଗଳ ବିଭାଗର ବିଦ୍ୟାଳୟ ଓ ଜୁନିୟର କଲେଜ ରହିଛି। କିନ୍ତୁ ଏହି ବିଦ୍ୟାଳୟର ଜୁନିୟର ମହାବିଦ୍ୟାଳୟ ପାଇଁ ନିର୍ମାଣ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସ କେତେ ସୁରକ୍ଷିତ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାମୁଣିପୁଟ ବିଦ୍ୟାଳୟରେ ୨୦୧୮-୧୯ରେ ଯୁକ୍ତ ୨ ବିଜ୍ଞାନ ଆରମ୍ଭ ହୋଇଛି। ଏଥିପାଇଁ ବିଦ୍ୟାଳୟ ଅଫିସ୍‌ରୁ ୨୦୦ ଫୁଟ ଦୂରରେ ଜୁନିୟକ କଲେଜ ଶ୍ରେଣୀଗୃହ, ବିଜ୍ଞାନ ପରୀକ୍ଷାଗାର, ପାଖରେ ଛାତ୍ରୀ ନିବାସ ଓ ଏହାର ପାଚେରି ନିର୍ମାଣ ହୋଇଛି। ପାଚେରି ୬ଫୁଟ ଉଚ୍ଚ ହୋଇଥିବା ଯୋଗୁ ଉକ୍ତ ବିଦ୍ୟାଳୟର ଛାତ୍ରଙ୍କ ସମେତ ବାହାର ଯୁବକ ପାଚେରି ଡେଇଁ ଛାତ୍ରୀ ନିବାସ ପରିସରରେ ପ୍ରବେଶ କରିପାରିବେ। ବୁଧବାର ଖବର ସଂଗ୍ରହ ପାଇ ‘ଧରିତ୍ରୀ’ ଖବରଦାତା ଉକ୍ତ ବିଦ୍ୟାଳୟକୁ ଯାଇଥିବା ବେଳେ କେତେକ ଛାତ୍ର ଉକ୍ତ ଛାତ୍ରୀ ନିବାସ ପାଚେରିରେ ଚଢ଼ିଥିଲେ। କିନ୍ତୁ ଖବରଦାତାଙ୍କୁ ଦେଖି ଦୌଡ଼ି ପଳାଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଥିଲେ, ୨୦୧୭ରୁ ସ୍ଥାପନା ହେବା ଦିନଠାରୁ ଛାତ୍ରୀ ନିବାସର ମାଟ୍ରୋନ ନିଯୁକ୍ତ ହୋଇନାହାନ୍ତି। ରୋଷେଇ କରୁଥିବା ମହିଳା ରାତିରେ ଏଠାରେ ରହୁଛଛି। ଛାତ୍ରୀ ନିବାସର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ହୋଇନାହିଁ। ବିଦ୍ୟାଳୟ କାର୍ଯ୍ୟାଳୟରୁ ଛାତ୍ରୀ ନିବାସ ୨୦୦ ଫୁଟ ଦୂରରେ ଥିବାରୁ ଏହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନଜରକୁ ଆସିପାରୁ ନାହିଁ। ଏଠାରେ ଦୁଇସ୍ତରୀୟ ପାଚେରି ବ୍ୟବସ୍ଥା ନିୟମ ଥିଲେ ମଧ୍ୟ କେବଳ ଛାତ୍ରୀ ନିବାସରେ ପାଚେରି ରହିଛି। କିନ୍ତୁ ଯୁକ୍ତ ୨ ଛାତ୍ର ନିବାସ କିମ୍ବା ପରିସରରେ ପାଚେରି ନାହିଁ। ଏନେଇ ପ୍ରଧାନଶିକ୍ଷକ କୁଣ୍ଡଳ ବାଘ କହିଛନ୍ତି, ଛାତ୍ରୀ ନିବାସ ନିକଟରେ ଶିକ୍ଷକଙ୍କ ବାସଗୃହ ରହିଛି। ମାଟ୍ରୋନ ନ ଥିବା ଯୋଗୁ ସମସ୍ୟା ହେଉଛି। ଜିଲା ମଙ୍ଗଳ ଅଧିକାରୀଙ୍କ ଫୋନକୁ ବାରମ୍ବାର କଲ୍‌ ଓ ମେସେଜରେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କଠାରୁ ଉତ୍ତର ମିଳି ନ ଥିଲା। ଆଇଟିଡିଏ ପିଏ ଗୋପୀନାଥ ସାରକା କହିଛନ୍ତି, ଏନେଇ କି ବ୍ୟବସ୍ଥା ହୋଇପାରିବ, ତଦାରଖ ପରେ କରାଯିବ।