ଛାତ୍ରୀଛାତ୍ର ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ବଜାୟ ରଖନ୍ତୁ

ଭୁବନେଶ୍ୱର, ୮ା୧୨(ବ୍ୟୁରୋ)

ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ପରିସରରେ ବାର୍ଷିକ ସାମାଜିକ ବିଜ୍ଞାନ ସମ୍ମିଳନୀ ‘ସୋ-ସାଇଟି-୨୦୧୯’ ଶନିବାର ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ.ଗୋପାଳକୃଷ୍ଣ ପଣ୍ଡା ଯୋଗଦେଇଥିଲେ। ସେ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହିତ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତାର ବିକାଶ ନିମନ୍ତେ ସମାଜ ବିଜ୍ଞାନର ଉପାଦେୟତା ସମ୍ପର୍କରେ ଉଦ୍‌ବୋଧନ ଦେବା ସହ ଉଚ୍ଚତର ଗବେଷଣା ନିମନ୍ତେ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଡ. ମୀନକେତନ ଦୃଢ଼ ଇଚ୍ଛାଶକ୍ତି ଓ ସଂକଳ୍ପ ବଜାୟ ରଖିବା ସହିତ ବିଶ୍ୱ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ଅନୁଧ୍ୟାନକରି ଏହାର ସମାଧାନ କରିପାରିଲେ ଭବିଷ୍ୟତରେ ନୂତନ ଭାରତବର୍ଷ ଗଠନ ହୋଇପାରିବ ବୋଲି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଷଷ୍ଠରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଦ୍ୱାରା ୨୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ପାୱାର ପଏଣ୍ଟ, ଚାର୍ଟ, ମଡେଲ ପ୍ରଭୃତି ପ୍ରକଳ୍ପ ଅଭିଜ୍ଞ ବିଶେଷଜ୍ଞ ମଣ୍ଡଳୀଦ୍ୱାରା ବିଚାର କରାଯାଇ ମୂଲ୍ୟାଙ୍କନ କରାଯିବା ସହିତ ଶ୍ରେଷ୍ଠ ବିବେଚିତ ପ୍ରକଳ୍ପଗୁଡିକୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସୁଲତାରାଣୀ ସାହା ଏବଂ ସାମାଜିକ ବିଜ୍ଞାନର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ପରିଚାଳନା କରିଥିଲେ।