ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ନିୟନ୍ତ୍ରକଙ୍କ ଦୁର୍ବ୍ୟବହାର: ଅଭିଯୋଗ ବିଶ୍ୱବିଦ୍ୟାଳୟ ଫାଟକରେ ୪ ଘଣ୍ଟା ପଡ଼ିଲା ତାଲା

ବାରିପଦା ଅଫିସ,୯ା୬- ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୋମବାର କେତେଜଣ ଛାତ୍ରୀଛାତ୍ରଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ପ୍ରତିବାଦରେ ଛାତ୍ରୀଛାତ୍ରମାନେ ଅପରାହ୍ନ ୧୧ଟା ୩୦ରୁ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ଅପରାହ୍ନରେ ସେମାନେ ୬ଷ୍ଠ ସେମିଷ୍ଟର ପରୀକ୍ଷାକୁ ବ୍ୟାଜାପ୍ତି କରିବା ପାଇଁ ଏକ ଦରଖାସ୍ତ ଦେବା ପାଇଁ ପରୀକ୍ଷା ନିୟନ୍ତ୍ରକଙ୍କ କକ୍ଷଙ୍କୁ ଯାଇଥିଲେ। ପରୀକ୍ଷା ନିୟନ୍ତ୍ରକ ଗୁହାରି ଶୁଣିବା ବଦଳରେ ସେମାନଙ୍କୁ ବିଭିନ୍ନ କଟୁକଥା କହି ଦୁର୍ବ୍ୟବହାର କରି ବାହାରକୁ ତଡ଼ି ଦେଇଥିଲେ। ଏହାର ପ୍ରତିବାଦାର ସେମାନେ ଆସି ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ଖବରପାଇ ଲକ୍ଷ୍ମୀପୋଷି ଫାଣ୍ଡି ପୋଲିସ ପହଞ୍ଚି ଛାତ୍ରୀଛାତ୍ରମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ୪ ଘଣ୍ଟା ଧରି ଗେଟ୍‌ ବନ୍ଦ ରହିବାରୁ କେହି ବାହାରକୁ ଆସି ପାରି ନ ଥିଲେ କି କେହି ବାହାରୁ ବିଶ୍ୱବିଦ୍ୟାଳୟ ଭିତରକୁ ଯାଇ ପାରି ନ ଥିଲେ। ଅପରାହ୍ନ ୩ଟା ୩୦ରେ ପରୀକ୍ଷା ନିୟନ୍ତ୍ରକ ଡ. ଲକ୍ଷ୍ମୀଧର ଗିରି ଆସି ଛାତ୍ରୀଛାତ୍ରମାନଙ୍କୁ ବୁଝାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ନେଇ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟର କୁଳପତିଙ୍କଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗର ତୁରନ୍ତ ବିଚାର କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଛାତ୍ରୀଛାତ୍ରମାନେ ପ୍ରକାଶ କରିଛନ୍ତି। ସାନନ୍ଦ କୁମାର ଦାସ, ବର୍ଷାରାଣୀ ପାତ୍ର, ସୁନନ୍ଦା ମୋଦିଙ୍କ ସମେତ ଏକାଧିକ ଛାତ୍ରୀଛାତ୍ର ଏହି ଧାରଣାରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ପରୀକ୍ଷା ନିୟନ୍ତ୍ରକ ଡ. ଗିରିଙ୍କୁ ପଚାରିବାରୁ ଛାତ୍ରୀଛାତ୍ରମାନଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାକୁ ସେ ଅସ୍ବୀକାର କରିଥିଲେ।