ଛତିଶଗଡ଼ରୁ ଓଡ଼ିଶାକୁ ଆସୁଛି ଜାଲ୍‌ ନୋଟ୍‌

ଭୁବନେଶ୍ୱର, ୭ା୩(ବ୍ୟୁରୋ): ବ୍ରାଉନ ସୁଗାର କାରବାର ଓ ବାଂଲାଦେଶରୁ ଯୁବତୀ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପରେ ଏସ୍‌ଟିଏଫ୍‌ ନଜର ଏବେ ଓଡ଼ିଶାକୁ ଆସୁଥିବା ଜାଲ୍‌ ନୋଟ ଉପରେ। ଜାଲ୍‌ ନୋଟ୍‌ କାରବାର ରୋକିବା ପାଇଁ ଏସ୍‌ଟିଏଫ୍‌ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ଶୁକ୍ରବାର ଏସ୍‌ଟିଏଫ୍‌ ବରଗଡ଼ ଜିଲା ଭଟଲି ଛକରେ ଚଢାଉ କରି ଜାଲନୋଟ କାରବାରରେ ସମ୍ପୃକ୍ତ ୨ଜଣ ମାଷ୍ଟରମାଇଣ୍ଡଙ୍କ ସମେତ ଜଣେ ଗ୍ରାହକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଲକ୍ଷ ୬ଶହ ଟଙ୍କା ଜାଲ୍‌ ନୋଟ ଜବତ କରାଯାଇଛି। ତନ୍ମଧ୍ୟରେ ୨୮୮ଟି ୫ଶହ ଟଙ୍କିଆ, ୨୩୩ଟି ୨ଶହ ଟଙ୍କିଆ ଏବଂ ୧୦୦ଟି ୧୦୦ ଟଙ୍କିଆ ଜାଲ ନୋଟ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ଜିଲା ରାୟଗଡ଼ ସରିଆ ଅଞ୍ଚଳର ମଙ୍ଗୁଲ ମାଲଖର(୪୨), ବରଗଡ଼ ଜିଲା ବରପାଲିର ପ୍ରଫୁଲ୍ଲ ମେହେର(୫୬) ଏବଂ ଗ୍ରାହକ କଟକ ଜିଲା ଲାଲବାଗ ଥାନା ଅଧୀନ ଶେଲଟର ଛକର ସୁଦର୍ଶନ ମହାନ୍ତି(୩୬)। ଏମାନଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ପରେ ବରଗଡ଼ ସଦର ଥାନା ପୋଲିସକୁ ହସ୍ତାନ୍ତର କରିଥିଲା। ଏ ନେଇ ବରଗଡ଼ ସଦର ଥାନାରେ ଆଇପିସି ଦଫା ୪୮୯(ଏ), ୪୮୯(ବି), ୪୮୯(ସି), ୧୨୦(ବି)ରେ କେସ୍‌ ନଂ. ୯୪/୨୦ ରୁଜୁ ହୋଇଛି। ପରେ ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।