ଛତା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ: ବିଦ୍ୟାଳୟ ସମସ୍ୟା ବଢିଚାଲିଛି, ସମାଧାନ ନାହିଁ

ନୂଆପଡା ଅଫିସ,୨୦ା୯ – ସରକାର ପ୍ରାଥମିକ ଶିକ୍ଷାର ବିକାଶ ସକାଶେ ସବୁବେଳେ କାମ କରି ବିଦ୍ୟାଳୟ ନିର୍ମାଣ କରୁଛନ୍ତି । ବିଭିନ୍ନ ବିଦ୍ୟାଳୟକୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ମାନ୍ୟତା ଦିଆଯାଉଛି। ହେଲେ ସେଠାରେ ଆବଶ୍ୟକ ଭିତିଭୂମି ବ୍ୟବସ୍ଥା ହେଉ ନ ଥିବାରୁ ଶିକ୍ଷାଦାନ ଆଶାନୁରୂପ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ନୂଆପଡ଼ା ଜିଲା କୋମନା ବ୍ଲକ ଛତା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ଏହାର ଏକ ଉଦାହରଣ । ପ୍ରାଥମିକ ବିଦ୍ୟାଳୟ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇବାର ଦୀର୍ଘ ୯ ବର୍ଷ ବିତିଯିବ ତଥାପି ସମସ୍ୟା ପିଛା ଛାଡୁ ନାହିଁ। ଏହାର ସମାଧାନ ପାଇଁ ଗ୍ରାମବାସୀ ନୂଆପଡା ଆସି ଜିଲା ଶିକ୍ଷାଧିକାରୀଙ୍କୁ ଗୁହାରି ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଜିଲାର ଆଦିବାସୀ ଅଧ୍ୟୁଷିତ ଛତା ଗାଁରେ ପ୍ରାଥମିକ ସହ ଉଚ୍ଚଶିକ୍ଷାର ବିକାଶକୁ ଦୃଷ୍ଟିରେ ରଖି ୨୦୧୦ରେ ପ୍ରାଥମିକ ବିଦ୍ୟାଳୟକୁ ସରକାର ଉନ୍ନୀତ ଉଚ୍ଚବିଦ୍ୟାଳୟର ମାନ୍ୟତା ଦେଇଛନ୍ତି । ସେହି ଦିନଠାରୁ ସେଠାରେ ଛାତ୍ରୀଛାତ୍ର ସଂଖ୍ୟା ବଢିଚାଲିଛି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୨୧୪ ଜଣ ଛାତ୍ରୀଛାତ୍ର ଥିବାବେଳେ ନବମ ଏବଂ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୬୩ ଜଣ ରହିଛନ୍ତି । ତଦନୁଯାୟୀ ଶିକ୍ଷକ ସଂଖ୍ୟା କମ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ଉନ୍ନୀତ ହେବାର ଆଜକୁ ୯ ବର୍ଷ ବିତିଗଲାଣି । ହେଲେ ଏଠାରେ ଗଣିତ, ହିନ୍ଦୀ, ସଂସ୍କୃତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଶିକ୍ଷକ ନ ଥିବାବେଳେ କିରାଣୀ, ପିଅନ ପଦବୀ ଖାଲି ପଡିଛି । ଏଠାରେ ଥିବା ଜଣେ ବରିଷ୍ଠ ଶିକ୍ଷକ ସିଆରସିସି ପଦକୁ ଯିବାରୁ ଏହି ପଦବୀ ମଧ୍ୟ ଖାଲି ପଡିଛି । ଏଭଳି ସ୍ଥିତିରେ ପାଠ ପଢା କିପରି ହେଉଥିବା ସହଜେ ଅନୁମାନ କରିହେବ । ବିଦ୍ୟାଳୟରେ ଖେଳ ପଡିଆ କି ପାଠଗାର ନ ଥିବାରୁ ପିଲାଙ୍କ ଶାରିରୀକ କିମ୍ବା ମାନସିକସ୍ତରରେ ବିକାଶ ହୋଇପାରୁନାହିଁ । ଏଥିପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗକୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥବାରୁ ଅସନ୍ତୋଷ ବଢିଚାଲିଛି । ଶେଷରେ ଅନ୍ୟନ୍ୟୋପାୟ ହୋଇ ଗ୍ରାମବାସୀ ନୂଆପଡା ଆସି ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଭୋଇଙ୍କୁ ଭେଟି ଜଣାଇଛନ୍ତି । ଏହା ଉପରେ ଦୃଷ୍ଟି ଦେବେ ବୋଲି ଅଧିକାରୀ ଭୋଇ ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ତ୍ରିଲୋଚନ କଟା, ରାଜୁ ମାଝି, ଜୟରାମ ମାଝି, ଯଦୁମଣୀ କଟା ପ୍ରମୁଖ ସାମିଲ ଥିଲେ।