ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା: ଯାତ୍ରା ପଡ଼ିଆରେ ମେଲଣ କଲେ ୪୦ ମେଢ଼

ଚୌଦ୍ୱାର,୧୬।୧୦(ଡି.ଏନ୍‌.ଏ.):ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରାର ମେଲଣ ଉତ୍ସବ ମଙ୍ଗଳବାର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପର ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ସାହିବସ୍ତି ପରିକ୍ରମା କରିବା ସହିତ ଅପରାହ୍ନରେ ମେଲଣ ପଡ଼ିଆ ଅଭିମୁଖେ ଯାତ୍ରା କରିଥିଲେ। ଚଳିତ ବର୍ଷ ଶୋଭାଯାତ୍ରାରେ ଢୋଲ, ମାଦଳ, ଘଣ୍ଟ, ପଶ୍ଚିମ ଓଡ଼ିଶାର ଶିଙ୍ଗ ବାଜା, ତାଳମୂଳି ଆଦି ପାରମ୍ପରିକ ବାଦ୍ୟ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଛି। ଚୌଦ୍ୱାର ପୌରାଞ୍ଚଳ ଓ ଏକମାତ୍ର ଗ୍ରାମଞ୍ଚଳ ବନିକାକୁ ମିଶାଇ ୪୦ଟି ପୂଜା ମଣ୍ଡପରେ ନିର୍ମିତ ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ମଙ୍ଗଳବାର ରାତି ୧୦ଟା ସୁଦ୍ଧା ତିନିକୋଣିଆ ସ୍ଥିତ ଯାତ୍ରା ପଡ଼ିଆରେ ପହଞ୍ଚି ମେଲଣ କରିଥିଲେ। କପାଳେଶ୍ୱର ନୂଆସାହି ମେଢ ସଙ୍ଗରେ ଶତାଧିକ ମହିଳା ମେଲଣ ପଡ଼ିଆକୁ ଯାଇଥିବା ଦେଖିବାକୁ ମିଳିଥିଲା। ଦେବଦେବୀଙ୍କ ମିଳନର ଏହି ଦୃଶ୍ୟ ଦେଖିବା ପାଇଁ ଯାତ୍ରା ପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଡିସିପିଙ୍କ ନେତୃତ୍ୱରେ ୨ଜଣ ଏଡିସିପି, ୫ଜଣ ଏସିପି,୧୫ଜଣ ଇନ୍ସପେକ୍ଟର, ୫୦ଜଣ ଅଧିକାରୀଙ୍କ ସହିତ ପ୍ଲାଟୁନ୍‌ ଫୋର୍ସ ମେଳାରେ ମୁତୟନ ହୋଇଛନ୍ତି। ସେସୁ ପକ୍ଷରୁ ଯାତ୍ର ପଡ଼ିଆ ଆଲୋକୀକରଣ କରାଯାଇଥିବା ବେଳେ ଚୌଦ୍ୱାର ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ବ୍ୟବସ୍ଥା, ପୌରପାଳିକା ପକ୍ଷରୁ ଆଶୁ ଚିକିତ୍ସାକେନ୍ଦ୍ର ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ବୁଧବାର ସକାଳେ ମେଢ଼ଗୁଡିକ ଯାତ୍ର କମିଟି ଠାରୁ ଛନ୍ଦା ଓ ଭସାଣ ଟିକେଟ ନେଇ ଭସାଣ ନିମନ୍ତେ ଶେଭାଯାତ୍ରା କରି ବିରୂପାନଦୀ ଅଭିମୁଖେ ଯାତ୍ରା କରିବେ। ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ବିଭିନ୍ନ ମେଢ଼ ମଣ୍ଡପ ବୁଲି ମେଢ଼ କମିଟିଗୁଡ଼ିକୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପିପୁଲ ଓ୍ବେଲଫେୟାର ସୋସାଇଟିର ମୁଖପତ୍ର ‘ଆମ ଚଉଦୁଆର’ ଉନ୍ମୋଚିତ ହୋଇଯାଇଛି।