ଚୋରାମଦ ରୋକିବାକୁ କଡ଼ା ପଦକ୍ଷେପ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଯାଇଛି। ସୋମବାର ଗୃହରେ ଅବକାରୀ ବିଭାଗ ପାଇଁ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ୧୩୧,୨୪,୭୪,୦୦୦ ଟଙ୍କାର ଖର୍ଚ୍ଚ ଦାବିକୁ ମଞ୍ଜୁରୀ ମିଳିଛି। ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ୧୯୯୯ରେ ଅବକାରୀ ବିଭାଗ ହୋଇଥିଲା। ସେତେବେଳେ ଏହି ବିଭାଗ ରାଜସ୍ବ ବିଭାଗ ସହ ରହିଥିଲା। ସରକାର ମଦର ପ୍ରସାର କରି କାହାରି କ୍ଷତି ପହଞ୍ଚାଇବା ପାଇଁ ଚାହୁଁନାହାନ୍ତି। ସୋମରସ ଗ୍ରହଣ କରିବା ପରମ୍ପରା ଅତୀତରୁ ରହିଆସିଛି। ଉତ୍ତମ ପାନୀୟ ଯୋଗାଇଦେବାକୁ ସରକାର ପ୍ରୟାସ କରୁଛନ୍ତି। କାହାରି ଶରୀର ଖରାପ ଉଦ୍ଦେଶ୍ୟ ରଖି କିମ୍ବା ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ସରକାର ମଦର ପ୍ରସାର କରୁନାହାନ୍ତି। ରାଜସ୍ବ ଆଦାୟ ୮୪୯ରୁ ଆସି ୩୯୨୫ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଚଳିତ ଆର୍ଥିକ ବର୍ଷରେ ଏହା ୪,୬୦୦କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବେଆଇନ ମଦ କାରବାର ଏବଂ ପ୍ରସ୍ତୁତି ରୋକିବା ଦିଗରେ ସରକାର ସଚେତନ ଅଛନ୍ତି। ମୋଟ ୫୪୫ଟି ଚୋରା ମଦରେ ସମ୍ପୃକ୍ତ ଘଟଣାରେ ୫୭୯ ଜଣଙ୍କୁ ପୋଲିସ ଗିରଫ କରିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ପ୍ରସ୍ତୁତ କରାଯାଇଛି। ଗୃହର ସଦସ୍ୟମାନେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ସେନେଇ ବ୍ୟକ୍ତିଗତ ଭାବେ ଅଫିସର୍‌ଙ୍କ ସହ ଆଲୋଚନା କରାଯିବ। ଚୋରା ମଦ ରୋକିବା ସରକାରଙ୍କ ପ୍ରାଥମିକତା ରହିବ। ଏହାସହ ବିଧାୟକମାନଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଜିଲା ସ୍ତରରେ ମଲ୍‌ଟି ଡିସିପ୍ଲିନ ସ୍କ୍ବାଡ୍‌ ଗଠନ ହେବ। ଏହି ସ୍କ୍ବାଡ୍‌ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବ। ଏଥିରେ ଏସ୍‌ପି ଏବଂ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ରହିବେ। ଲୋକଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ୟ। ୨୦ ଜିଲାରେ ମହୁଲି ବିକ୍ରି ଅଧିକ ମାତ୍ରାରେ ରହୁଛି। ଆଦିବାସୀମାନେ ମହୁଲି ଫୁଲ ବିକ୍ରି କରିବା ସାଙ୍ଗକୁ ଏଥିରୁ ମହୁଲି ରସ ପାନ କରୁଛନ୍ତି। ରାଜ୍ୟରେ ୧୧୫୪ଟି ଠିପି ଖୋଲା ମଦ ଦୋକାନ ରହିଛି। ବହୁ ସ୍ଥାନରେ ଗଞ୍ଜେଇ ଗଛକୁ ନଷ୍ଟ କରିଦିଆଯାଇଛି। ୨୦୧୮-୧୯ରେ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୨୪୯.୧୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଦିଆଯାଇଛି। ଏହାସହ ବିଭାଗରେ ଯେଉଁସବୁ ପଦବୀ ଖାଲି ରହିଛି ସେଗୁଡିକୁ ତୁରନ୍ତ ପୂରଣ କରିବା ସକାଶେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।