ଚୋରାଚାଲାଣ ବେଳେ ଧରିଲା ଦାରିଙ୍ଗବାଡ଼ି ପୋଲିସ: ୨ ଗିରଫ, କାର୍‌ ସହ ୨୦ କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି,୧୭।୩(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ ବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଏକ କାର୍‌କୁ ଜବତ ସହ ୨୦କେଜି ଗଞ୍ଜେଇକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଥିବା ଆଇଆଇସି କୌଶିକ ମାଝୀ ସୁଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ହେଲେ ଗେଗୁ ମଲ୍ଲିକ(୩୬) ଏବଂ ଗୋବିନ୍ଦ ମଲ୍ଲିକ(୫୫) । ଗିରଫ ୨ଜଣଙ୍କ ଘର ବାଲିଗୁଡା ଥାନା ବୋରିକିଆ ଗ୍ରାମ ବୋଲି ପୋଲିସ କହିଛି। ତେବେ କାର୍‌ ଚାଳକ ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ମାଝୀ କହିଛନ୍ତି। ଏନେଇ ଥାନାରେ ମାମଲା (୪୦।୨୦)ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି ।

ପୋଲିସ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ, ବାଲିଗୁଡା ଥାନା ଅଞ୍ଚଳରୁ ଦାରିଙ୍ଗବାଡି ଦେଇ ଅନ୍ୟ ଜିଲାକୁ ଗଞ୍ଜେଇ ଚୋରା ଚାଳଣ କରାଯାଉଥିବା ନେଇ ପୋଲିସ ଖବର ପାଇଥିଲା। ପୋଲିସ ୫୯ନଂ ଜାତୀୟ ରାଜପଥର ସୁଲୁମାହାଠାରେ ବ୍ଳକିଂ କରି ଯାଞ୍ଚ କରିଥିଲା। ଆଇଆଇସିଙ୍କ ସମେତ ସବ୍‌୍‌ଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଞ୍ଜନ ଜେନା ସଦଳବଳେ ଯାଞ୍ଚ କରୁଥିବା ବେଳେ କାର ନଂ( ଓଆର-୦୨ଏଚ-୫୫୬୭)କୁ ଅଟକାଇଥିଲେ। ପୋଲିସକୁ ଦେଖି ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାଳିଥିବା ବେଳେ ଗଞ୍ଜେଇ ନେଇ ଯାଉଥିବା ଅନ୍ୟ ୨ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।