ଚେକ୍‌ ବାଉନ୍ସ ମାମଲାରେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୯- ଏକ ଚେକ୍‌ ବାଉନ୍ସ ମାମଲାରେ ଜଣେ ଶିକ୍ଷକଙ୍କୁ ୬ ମାସ କାରାଦଣ୍ଡାଦେଶ ହୋଇଛି। ସେ ହେଲେ ଇଟାମାଟି ନାରାୟଣୀ ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ତ୍ରିପାଠୀ ।
ପ୍ରକାଶ ଯେ, ନୟାଗଡ଼ ଦେବୋତ୍ତର କଲୋନୀରେ ରହୁଥିବା ଶିକ୍ଷକ ରାମଚନ୍ଦ୍ର ତାଙ୍କ ଜମି ବିକ୍ରି କରିବା ପାଇଁ ଓଲ୍‌ଡ ଟାଉନର ରମେଶ ଚନ୍ଦ୍ର ସାହୁଙ୍କଠାରୁ ଅଗ୍ରିମ ୩ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଏହି ଜମି ବିକ୍ରି ହୋଇ ନ ଥିଲା। ରାମଚନ୍ଦ୍ର ଟଙ୍କା ଫେରସ୍ତ ବାବଦକୁ ୨୪ ଜାନୁୟାରୀ ୨୦୧୪ରେ ୩ ଲକ୍ଷ ଟଙ୍କାର ଏକ ବ୍ୟାଙ୍କ୍‌ ଚେକ୍‌ ରମେଶଙ୍କୁ ଦେଇଥିଲେ, ଯାହାକି ବାଉନ୍ସ ହୋଇ ଯାଇଥିଲା। ଏ ନେଇ ରମେଶ ବାରମ୍ବାର ରାମଚନ୍ଦ୍ରଙ୍କୁ ତାଗିଦା କହିଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନ ଥିଲେ କି ଟଙ୍କା ଦେଇ ନ ଥିଲେ। ଏଣୁ ରମେଶଙ୍କ ପକ୍ଷରୁ ନୟାଗଡ଼ କୋର୍ଟରେ ଚେକ୍‌ ବାଉନ୍ସ ମାମଲା ରୁଜୁ ହୋଇଥିଲା। ଏହା ବିଚାରାଧୀନ ରହିଥିଲା। ଗୁରୁବାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୋନାଲିସା ଦାସ ୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଶିକ୍ଷକ ରାମଚନ୍ଦ୍ରଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ୩ ଲକ୍ଷ ୩୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ୩ ମାସ କାରାଦଣ୍ଡ ଭୋଗ କରିବାକୁ ପଡ଼ିବ। ରମେଶଙ୍କ ପକ୍ଷରୁ ଆଇନଜୀବୀ କାଳୁଚରଣ ସ୍ବାଇଁ ମାମଲା ପରିଚାଳନା କରୁଥିଲେ।