ଚିଲିକା ଉତ୍ତରନାଶୀରେ ପକ୍ଷୀ ସୁରକ୍ଷା ଢିଲା

କଣାସ, ୨୬ା୧୨(ସ୍ବ.ପ୍ର.): ଶୀତ ପଡିଲେ ବିଦେଶାଗତ ପକ୍ଷୀଙ୍କ କଳରାବରେ ମୁଖରିତ ହୋଇଉଠେ ଚିଲିକା। କିନ୍ତୁ ନଳବଣରେ ଖାଦ୍ୟ ଅଭାବ ଯୋଗୁ ପକ୍ଷୀମାନେ ଉତ୍ତରନାଶୀ ଦୟା ଓ ମକରା ନଦୀର ମୁହାଣ ଆଡ଼କୁ ମୁହାଁଉଛନ୍ତି।ସେଠାରେ ବନ ବିଭାଗ ପକ୍ଷରୁ ପକ୍ଷୀ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଶିକାରୀମାନେ ଜାଲ ବିଛାଇ ଶିକାର କରୁଛନ୍ତି। ଏନେଇ ପକ୍ଷୀପ୍ରେମୀମାନେ ଚିନ୍ତା ପ୍ରକଟ କରି ବିଶେଷ ଧ୍ୟାନ ଦେବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀସଂଖ୍ୟା ବୃଦ୍ଧି ପାଇଛି। ବନ୍ୟପ୍ରାଣୀ ବିଭାଗର ପରିସଂଖ୍ୟାନ ଅନୁସାରେ ୮ଲକ୍ଷରୁ ଅଧିକ ପକ୍ଷୀ ଚଳିତବର୍ଷ ଚିଲିକାରେ ସମବେତ ହୋଇଛନ୍ତି। ଚିଲିକାର ଭିତର ଅଞ୍ଚଳ ନଳବଣ, ଭୁଷଣ୍ଡପୁର, କାଳୁପଡା ଘାଟ ପ୍ରଭୃତି ୧୯ଟି ସ୍ଥାନରେ ପକ୍ଷୀ ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା ଥିବାବେଳେ ଚିଲିକାର ଉତ୍ତରନାଶୀରେ କର୍ମଚାରୀ ନ ଥିବା, ପାଟ୍ରୋଲିଂ ହେଉ ନ ଥିବା ଦେଖାଯାଇଛି। ଯଦ୍ଦ୍ବାରା ପକ୍ଷୀ ଶିକାରୀମାନେ କଇଁଫୁଲ କେଶରରେ ନିଶାଯୁକ୍ତ ଔଷଧ ଦେଇ ପକ୍ଷୀମାନଙ୍କୁ କରାୟତ୍ତ କରୁଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ସାଧାରଣରେ ଦାବି ହୋଇଛି।