ଚିନ୍ତା ବଢ଼ାଉଛି ଯାଜପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି

ଭୁବନେଶ୍ୱର,୨।୫(ବ୍ୟୁରୋ): କରୋନା ଯୋଗୁ ସାରା ଦେଶ ଓ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଶୁକ୍ରବାର କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅବଧିକୁ ଆହୁରି ୨ ସପ୍ତାହ ଯାଏଁ ବୃଦ୍ଧି କରିଛନ୍ତି। ହେଲେ ଲକ୍‌ଡାଉନ ଜାରି ରହିଥିଲେ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାରେ ନା ନେଉନି। ଇତିମଧ୍ୟରେ ଶନିବାର ସକାଳେ ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତି ସମସ୍ତେ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଚିହ୍ନଟ ରୋଗୀଙ୍କ ମଧ୍ୟରେ ୩ଜଣ ପୁରୁଷ ଥିବା ବେଳେ ୨ମହିଳା ରହିଛନ୍ତି। ପୁରୁଷଙ୍କ ମଧ୍ୟରେ ଜଣେ ୨୮ବର୍ଷୀୟ ଯୁବକ ଥିବା ବେଳେ ଆଉ ୨ଜଣଙ୍କ ବୟସ ଯଥାକ୍ରମେ ୫୬ ଓ ୬୦ ରହିଛି। ସେହିଭଳି ମହିଳାଙ୍କ ମଧ୍ୟରେ ଜଣେ ୨୪ବର୍ଷୀୟ ଯୁବତୀ ରହିଥିବା ବେଳେ ଅନ୍ୟଜଣକ ୬୦ବର୍ଷ ବୃଦ୍ଧା ରହିଥିବା ଜଣାପଡ଼ିଛି। ସମସ୍ତେ କୋଲକାତା ଫେରନ୍ତା ହୋଇଥିବା ବେଳେ ଏମାନେ କ୍ୱାରାଣ୍ଟାଇନ୍‌ରେ ଥିବା ନେଇ ରାଜ୍ୟର ସୂଚନା ଓ ଲୋକସର୍ମ୍ପକ ବିଭାଗ ସୂଚନା ଦେଇଛି। ତେବେ ଯାଜପୁର ଜିଲାରେ ରାଜ୍ୟର ଦ୍ୱିତୀୟ ସର୍ବଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ ଏବେ ଏକପ୍ରକାର ଚ୍ୟାଲେଞ୍ଜ ପାଲଟିଛି। ତେବେ ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି।