ଚିନ୍ତା ବଢ଼ାଇଲେଣି ପ୍ରବାସୀ: ଗଞ୍ଜାମରେ ୨ ସୁରଟ ଫେରନ୍ତାଙ୍କୁ କରୋନା

ବ୍ରହ୍ମପୁର ଅଫିସ, ୩।୫- ଗଞ୍ଜାମରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାକୁ ମିଶାଇ ରାଜ୍ୟରେ ଏବେ ମୋଟ ୧୬ ଜିଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛନ୍ତି। ଜିଲାରେ ଚିହ୍ନଟ ୨ କରୋନା ସଂକ୍ରମିତ ୩ ଦିନ ତଳେ ସୁରଟରୁ ଗଞ୍ଜାମ ଫେରିଥିଲେ। ପ୍ରଥମେ ପଶ୍ଚିମବଙ୍ଗ ଫେରନ୍ତା ପରେ ଏବେ ସୁରଟରୁ ଫେରୁଥିବା ବ୍ୟକ୍ତିଙ୍କଠାରେ କରୋନା ଚିହ୍ନଟ ହେବା ପରେ ପ୍ରବାସୀଙ୍କୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶକ୍ରମେ ଦେଶରେ କରୋନା ଲକଡାଉନ୍‌ରେ ଫସିଥିବା ଲୋକମାନଙ୍କୁ ନିଜ ନିଜ ଘରକୁ ଫେରିବାର ବାଟ ଫିଟିଥିଲା। ୩ ଦିନ ୪ ଟି ବସରେ ସୁରଟରୁ ଗଞ୍ଜାମ ଫେରିଥିବା ୨୧୭ ଜଣ ଲୋକଙ୍କୁ ଶେରଗଡ ଓ ଧରାକୋଟରେ ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା ୨ ଟି କ୍ୱାରାଣ୍ଟାଇନ୍‌ର ରଖାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ୨ଟି ଟିମ ସୁରଟ ଫେରନ୍ତାଙ୍କ ସ୍ବାବ ନମୁନା ସଂଗ୍ରହ କରି ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଇଥିଲେ। ରବିବାର ସ୍ବାବ ରିପୋର୍ଟ ଆସିବା ପରେ ଗଞ୍ଜାମର ୨ ଜଣ ଲୋକଙ୍କ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମା ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଲଗାତାର ଭାବେ ବସ ଓ ଟ୍ରେନ ଯୋଗେ କେରଳ, ସୁରତ ଓ ବେଙ୍ଗାଲୋରରୁ ହଜାର ହଜାର ପ୍ରବାସୀ ଶ୍ରମିକ ଏବେ ଗଞ୍ଜାମ ଫେରୁଛନ୍ତି। ଯଦି କରୋନା ସଂକ୍ରମଣ ଏଭଳି ଭାବେ ବଢି ଚାଲିବ ତେବେ ଆଗକୁ ଜିଲ୍ଲାର ସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।