ଚିନ୍ତା ବଢ଼ାଇଲାଣି କରୋନା: ୬ ଦିନରେ ଚିହ୍ନଟ ହେଲେଣି ୮୩୩ ଆକ୍ରାନ୍ତ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୬ ଦିନରେ ମୋଟ ୮୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁନ୍‌ ୧ରେ ୧୫୬ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜୁନ୍‌ ୨ରେ ୧୪୧, ଜୁନ୍‌ ୩ରେ ୧୪୩, ଜୁନ୍‌ ୪ରେ ୯୦, ଜୁନ୍‌ ୫ରେ ୧୩୦ ଏବଂ ଜୁନ୍‌ ୬ ଅର୍ଥାତ ଶନିବାର ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଅପରପକ୍ଷେ ଲକ୍‌ଡାଉନ୍‌ କୋହଳ କରାଯାଇଥିବାରୁ ବିଭିନ୍ନ ଛକ, ବଜାରରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଫଳରେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏପରିକି ଅଧିକ ଆକ୍ରାନ୍ତ ଚିହ୍ନଟ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ଜୁନ୍‌ ୩୦ ଯାଏ ଚାଲିବ ବୋଲି କୁହାଯାଇଛି।

ପ୍ରକାଶ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୧୭୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ସକାଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୮୧କୁ ବୃଦ୍ଧି ପାଇଛି।