Categories: ଗଞ୍ଜାମ

ଚିନିଶିଳ୍ପ ସଭାପତିଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ

ଆସିକା,୨୭ା୧୦(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପର ମଦ ପ୍ରସ୍ତୁତି ଲାଗି ରହିଥିବା ବଟଲିଂ ପ୍ଲାଣ୍ଟର ମହିଳା ଶ୍ରମିକମାନେ ଚିନିଶିଳ୍ପର ସଭାପତି ବିପିନୀ ବିହାରୀ ପାତ୍ରଙ୍କ ବିରୋଧରେ ଆସିକା ଥାନାରେ ଅଭିଯୋଗ କରିଛନ୍ତି। ଶନିବାର ପ୍ଲାଣ୍ଟର ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଆସିକା ଥାନାରେ ପହଞ୍ଚତ୍ ସଭାପତି ପାତ୍ରଙ୍କ ବିରୁଦ୍ଧରେ ତିନୋଟି ପୃଥକ୍‌ ପୃଥକ୍‌ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗକାରୀଙ୍କ ମଧ୍ୟରେ ୨ଜଣ ମହିଳା ଅନୁସୂଚିତ ବର୍ଗର ଓ ଜଣେ ବିଧବା ମହିଳା ଅଛନ୍ତି। ଗତ ମଙ୍ଗଳବାର ସନ୍ଧ୍ୟାରେ ଏହି ଶ୍ରମିକମାନେ କେତେକ ଦାବି ନେଇ ସଭାପତିଙ୍କ ପ୍ରକୋଷ୍ଠକୁ ଯାଇଥିବାବେଳେ ସଭାପତି ଜାତିଗତ ଆକ୍ଷେପ କରିବା ସହ ଟଣାଓଟରା କରିବା ଓ ଧକ୍କା ମାରିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ସଭାପତି ପାତ୍ରଙ୍କୁ ପଚାରିବାରୁ, ଏଭଳି ଅଭିଯୋଗ ଭିତ୍ତିହୀନ ଓ ମନଗଢା ବୋଲି କହିଛନ୍ତି। ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ପଚାରିବାରୁ ଏନେଇ ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି।
ଯୋଗ୍ୟ ଯେ, ଗତ ମଙ୍ଗଳବାର ସନ୍ଧ୍ୟାରେ ବଟଲିଂ ପ୍ଲାଣ୍ଟ ଶ୍ରମିକମାନେ ବିଭିନ୍ନ ଦାବିନେଇ ଚିନିଶିଳ୍ପ ସଭାପତି, ପରିଚାଳନା ନିର୍ଦ୍ଦେଶକ ଓ ସମ୍ପାଦକଙ୍କୁ ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ରାତି ୧୧ଟା ଯାଏ ଅଟକ ରଖିଥିଲେ। ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରାଙ୍କ ପକ୍ଷରୁ ଶୁକ୍ରବାର ବଟଲିଂ ପ୍ଲାଣ୍ଟ ଶ୍ରମିକ ସଂଘ ନେତା ବିଜୟ କୁମାର ସ୍ବାଇଁଙ୍କ ସମେତ ଅନ୍ୟ କେତେକଙ୍କ ବିରୁଦ୍ଧରେ ଆସିକା ଥାନାରେ ଅଭିଯୋଗ କରାଯାଇଥିଲା। ନଂ.୩୯୪/୧୯ରେ ମାମଲା ରୁଜୁ କାରଯାଇଥିଲା।