ଚିକିତ୍ସା ଭତ୍ତା ଦାବିକଲା ଅବସରପ୍ରାପ୍ତ କର୍ମଚାରୀ ମହାସଂଘ

ଭୁବନେଶ୍ୱର,୫ା୩(ବ୍ୟୁରୋ): ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ୫ମ ଦ୍ୱିବାର୍ଷିକ ରାଜ୍ୟ ସମ୍ମିଳନୀ ବୁଧବାର ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଜ୍ୟ ପେନ୍‌ସନ୍‌ଭୋଗୀଙ୍କ ମୁଖ୍ୟ ଓ ମୌଳିକ ଦାବି ତଥା ଚିକିତ୍ସା ଭତ୍ତା ଓ ଚିକିତ୍ସା ସୁବିଧା ପ୍ରଦାନ ବିଷୟରେ ଆଲୋଚନା କରାଯାଇଥିଲା। ୨୦୦୬ରୁ ଲାଗାତର ମହାସଂଘ ପକ୍ଷରୁ ଚିକିତ୍ସା ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାର ତାହା ଲାଗୁ କରୁନାହାନ୍ତି। କେନ୍ଦ୍ର ସରକାରଙ୍କ ସହ ୨୩ ରାଜ୍ୟର ସରକାର ପେନସନ୍‌ଭୋଗୀଙ୍କୁ ଚିକିତ୍ସା ଭତ୍ତା ପ୍ରଦାନ କରୁଛନ୍ତି। ହେଲେ ଓଡ଼ିଶା ସରକାର ଏଥିପାଇଁ ଆବଶ୍ୟକ ଖର୍ଚ୍ଚର ଆକଳନ କରିଥିଲେ ମଧ୍ୟ ତାହା ଶୀତଳ ଭଣ୍ଡାରରେ ପଡ଼ିରହିଛି। ତେଣୁ ପେନ୍‌ସନ୍‌ଭୋଗୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମହାସଂଘ ଦାବି କରିଛି। ସେହିଭଳି ୭ମ ବେତନ କମିଶନଙ୍କ ସୁପାରିସ ଭିତ୍ତିରେ ପେ-ମାଟ୍ରିକ୍ସର କୌଣସି ଫର୍ମୁଲାକୁ ଓଡ଼ିଶାରେ କାର୍ଯ୍ୟ କରାଯାଇ ନ ଥିବା ମହାସଂଘ ଅଭିଯୋଗ କରିଛି। ବୈଠକରେ ମହାସଂଘ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମିଶ୍ର ଓ ସୁରେଶ ମୁନି, ମହାସଚିବ ଗୋକୁଳାନନ୍ଦ ବେହେରା, କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା ଉପସ୍ଥିତ ଥିଲେ। ଏହି ଅବସରରେ ମହାସଂଘର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।