ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ଶିଶୁଭବନରେ ଉତ୍ତେଜନା

କଟକ ଅଫିସ,୧୪ା୧୦- କଟକ ଶିଶୁଭବନରେ ଜଣେ ୪ମାସ ଶିଶୁର ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନା ପରିସରରେ ହୋହଲ୍ଲା କରିଥିଲେ। ଏହାକୁ ନେଇ ସେଠାରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଲାଲବାଗ ଥାନା ପୋଲିସ ପହଞ୍ଚି ମୃତ ଶିଶୁପୁତ୍ରଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ରିପୋର୍ଟ ଲେଖାଯିବା ସୁଦ୍ଧା ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ଆଶୁତୋଷ ମିଶ୍ର କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଗରଡି ଗ୍ରାମର ରବୀନ୍ଦ୍ର ପଣ୍ଡାଙ୍କ ୪ମାସର ଶିଶୁପୁତ୍ର ୩ ଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସାଲାଗି ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନ ଘଟିବାରୁ ରବିବାର ପୂର୍ବାହ୍ନରେ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁଭବନରେ ପହଞ୍ଚିବା ପରେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଓ ଆଇସିୟୁରେ ରଖାଯିବ ବୋଲି ଡାକ୍ତରମାନେ କହିଥିଲେ। ହେଲେ ଆଇସିୟୁରେ ବେଡ ଫାଙ୍କା ନ ଥିବାରୁ ଶିଶୁପୁତ୍ରକୁ କାଜୁଆଲ୍‌ଟିରେ ରଖାଯାଇଥିଲା। ସୋମବାର ଅପରାହ୍ନ ପ୍ରାୟ ୩.୩୦ରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ଅବହେଳା କରି ପୁଅକୁ ମାରି ଦେଇଛନ୍ତି ବୋଲି ରବୀନ୍ଦ୍ର ଅଭିଯୋଗ କରିଛନ୍ତି। ଏ ନେଇ ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ(ଇନ୍‌ଚାର୍ଜ) ପ୍ରଫେସର ଅନିଲ କୁମାର ମହାନ୍ତି କୁହନ୍ତି, ମୋ ନିକଟରେ ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନି। ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।