ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ପିଆର୍‌ଏମ୍‌ ମେଡିକାଲ କଲେଜରେ ଉତ୍ତେଜନା; କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖି ଧାରଣା

ବାରିପଦା ଅଫିସ,୯।୬- ମୟୁରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବଳିକାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଶନିବାର ସକାଳୁ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ନାବାଳିକାଙ୍କ ପରିବାରଲୋକେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଥିବା ବେଳେ ସେମାନଙ୍କୁ ସମର୍ଥନ କରି ଅଣ ରାଜନୈତିକ ସଂଗଠନ ‘ଭଞ୍ଜ ସେନା’ ପକ୍ଷରୁ ନାବାଳିକାଙ୍କ ମୃତଦେହକୁ କଲେଜ ଗେଟ୍‌ ବାହାରେ ରଖି ଆନ୍ଦୋଳନ କରାଯାଇଛି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ତେବେ ଘଟଣାସ୍ଥଳରେ ବାରିପଦା ସଦର ଏସଡିପିଓ କେ.ପି. ପଟ୍ଟନାୟକ ଓ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ହସ୍ପିଟାଲ ମ୍ୟାନେଜର ଡା. ସମୀର ମହାପାତ୍ର ଘଟଣା ସ୍ଥଳକୁ ଆସି ଲିଖିତ ଭାବେ ଘଟଣାର ତଦନ୍ତ ହେବ ଏବଂ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ଉଠିଥିଲା ।

ସୁଚନା ଅନୁଯାୟୀ, ଚାନ୍ଦୁଆ ଥାନା ଅଧୀନ ଚାଲୁଣିଆ ଗ୍ରାମର ବିରେନ୍ଦ୍ର ପାତ୍ରଙ୍କ ୧୫ ବର୍ଷର ଝିଅ ରଞ୍ଜିତାଙ୍କର ଶୁକ୍ରବାର ଦେହ ଖରାପ ହୋଇଥିଲା । ପରେ ତାଙ୍କୁ ସନ୍ଧ୍ୟା ପ୍ରାୟ ୫ ଟା ବେଳେ ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ଭଞ୍ଜ ସେନା ପକ୍ଷର କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ମୁଖପାତ୍ର ଜ୍ୟୋତି ପୃଷ୍ଟି, ରାକେଶ ବେହେରା ଓ ରବି ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଧାରଣାରେ ବସିଥିଲେ ।