Categories: ଗଞ୍ଜାମ

ଚିକିଟି ରାଜାଙ୍କ ପରଲୋକ

ଚିକିଟି,୨୮ା୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟିର ରାଜା ତଥା ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦେଓଙ୍କ ୯୮ ବର୍ଷରେ ଶୁକ୍ରବାର ସକାଳେ ଚିକିଟି ରାଜବାଟୀ ପରିସରରେ ପରଲୋକ ହୋଇଯାଇଛି। ସେ ଚିକିଟି ନିର୍ବାଚନ ମଣ୍ଡଳୀର ବିଧାୟିକା ଉଷା ଦେବୀଙ୍କ ଶ୍ୱଶୁର। ସଚ୍ଚିଦାନନ୍ଦ ଚିକିଟି ନିର୍ବାଚନମଣ୍ଡଳୀରୁ ୧୯୭୧ ଓ ୧୯୭୪ରେ କଂଗ୍ରେସରୁ ଲଗାତର ୨ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଚିକିଟି ଅଞ୍ଚଳର ବହୁ ଉନ୍ନୟନମୂଳକ କାର୍ଯ୍ୟ ସେ ବିଧାୟକ ଥିବା ସମୟରେ ହୋଇଥିଲା। ସେଥିମଧ୍ୟରୁ ଚିକିଟି ସିଟି ଟିଚର୍ସ ଟ୍ରେନିଂ ସେଣ୍ଟର, ଚିକିଟି ମହାବିଦ୍ୟାଳୟ, ଜର୍ଜ ପ୍ରାଥମିକ ବିଦ୍ୟାଳୟ, କୃଷ୍ଣପୁର ଓ ଖୁଦୁଡି ଗ୍ରାମରେ ଚକ୍ରବର୍ତ୍ତୀ ସାଗର ଜଳସେଚନ ପ୍ରକଳ୍ପ ଅନ୍ୟତମ। ପରମ୍ପରା ଅନୁଯାୟୀ ରାଜବାଟୀ ପରିସରରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଚିକିଟିଗଡ ନିକଟ ରାଜଶ୍ମଶାନକୁ ନିଆଯାଇଥିଲା। ସେଠାରୁ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ନିଆଯାଇଛି। ମରଶରୀର ଶୋଭାଯାତ୍ରାରେ ଚିକିଟି ଓ ପାତ୍ରପୁର ବ୍ଲକ୍‌ର ବହୁ ଜନସାଧାରଣ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା ରାଜବାଟୀରେ ପହଞ୍ଚତ୍ ସଚ୍ଚିଦାନନ୍ଦ ଦେଓଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।