ଚାଷ ଜମି ଫାଟି ଆଁ ମରୁଡ଼ି ଆଶଙ୍କା: ଚାଷୀକୂଳ ହତାଶ

ତେଲକୋଇ, ୨୪।୭(ଡି.ଏନ.ଏ.): ସ୍ବଳ୍ପ ବୃଷ୍ଟି ପାତ ଯୋଗୁଁ ତେଲକୋଇ ବ୍ଲକରେ ଚାଷ ଜମି ଫାଟି ଆଁ କଲାଣି। ଧାନ ରୁଆ, ବିହୁଡା ଠପ ହୋଇଥିବା ବେଳେ ଧାନ ତଳି ହଳଦିଆ ହୋଇ ପଡିଛି। ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ବର୍ଷା ର ଦେଖା ନାହିଁ। ଅନ୍ୟପକ୍ଷରେ ବର୍ଷାର ଅଭାବ ଯୋଗୁଁ ନଦୀ ନାଳର ଜଳ ଉତ୍ସ ଗୁଡିକରେ ପାଣି ନାହିଁ । ବ୍ଲକ ଅଧୀନରେ ୧୨ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଧାନକ୍ଷେତ ମାତ୍ର ୫ପ୍ରତିଶତ କାର୍ଯ୍ୟ ହୋଇଯାଇଛି। ଏହି ୫ପ୍ରତିଶତ ଚାଷ ଜମିରେ ଚାଷ ବଞ୍ଚାଇବା ପାଇଁ ଚାଷୀ ମାନେ ମୋଟର ସାହାଯ୍ୟରେ ପାଣି ମଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତେବେ ଏହି ବ୍ଲକ ଅଧୀନରେ ୧୨ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ରହିଛି । ଏଥିରେ ୬ହଜାର ହେକ୍ଟର ଜମିରେ ଜଳସେଚନର ଯୋଜନା ରହିଥିଲେ ହେଁ କୌଣସି ପ୍ରକଳ୍ପରେ ପାଣି ନାହିଁ। ଏଥି ଯୋଗୁଁ ଚାଷ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ମୁଖ୍ୟ ଜୀବିକା ଧାନ ଚାଷ ହୋଇଥିବା ବେଳେ ଚାଷୀ କୂଳ ହତାଶ ହୋଇପଡିଛନ୍ତି। ଜୁଲାଇ ମାସରେ ଆଦୌବର୍ଷା ହୋଇନଥିବା ଯୋଗୁଁ ଚାଷୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। କୃଷି ବିଭାଗର ଅଧିକାରୀ ଶିବାନୀ ସାହୁଙ୍କ କହିବାନୁଯାୟୀ ବର୍ଷାର ଅଭାବ ଯୋଗୁଁ ବ୍ଲକ ଅଧୀନରେ ମାତ୍ର ୧୨୪ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟହୋଇଛି। ହେଲେ ଉକ୍ତ ଜମି ପାଇଁ ପାଣିର ଆବଶ୍ୟକ ରହିଥିବା ବେଳେ ଆଗାମୀ ୨/୩ ଦିନ ମଧ୍ୟରେ ବର୍ଷା ନହେଲେ ଚାଷୀଙ୍କ ପ୍ରଭୃତ କ୍ଷତି ସମ୍ଭାବନା ହେବା ସ୍ବୀକାର କରିଛନ୍ତି ।