ଚାଷ ଛାଡ଼ିବା ନିଷ୍ପତ୍ତିରେ ଚାଷୀଙ୍କ ବାଇକ ରାଲି

ସରଣ୍ଡା,୯।୬(ଡି.ଏନ.ଏ)- କୃଷିକ୍ଷେତ୍ରରେ ଚାଷୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କୃଷି ଶ୍ରମିକ ଅଭାବ ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅମଳ ପରେ ଧାନ ମଧ୍ୟ ଠିକ୍‌ଭାବେ ବିକ୍ରି ହେଉନାହିଁ। ସେହିପରି ଅମଳ ଧାନର ସହାୟକ ମୂଲ୍ୟ ଯଥେଷ୍ଟ କମ୍‌ ରହୁଥିବା ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଫଳରେ ଆସନ୍ତା ଖରିଫରୁ ଚାଷ କରିବେ ନାହିଁ ବୋଲି ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳିଫାର୍ମ, ଲରାସରା ଅଞ୍ଚଳର ଚାଷୀମାନେ ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ନେବା ପରେ ଚାଷୀମାନେ ମଙ୍ଗଳବାର ଏକ ବାଇକ୍‌ ରାଲିରେ ଚକୁଳିଫାର୍ମରୁ ଲରାସରା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ । ଲରାସରା ସରପଞ୍ଚ ରଣଜିତ ସାହୁ, ସାଙ୍ଗାକାର ରାଓ, ଯଦୁମଣି ସାହୁ, ଚନ୍ଦ୍ରଶେଖର ଭୋଇ ପ୍ରମୁଖ ଚାଷୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।