Categories: ରାୟଗଡା

ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର

ନନ୍ଦପୁର,୧୯।୪(ଡି.ଏନ୍‌.ଏ.): ନନ୍ଦପୁର ବ୍ଲକ ଘାଗ ଗ୍ରାମ ନିକଟରେ ଏକ ପଥର କ୍ୱାରି ସହ କ୍ରସର ଚାଲୁଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଗ୍ରାମବାସୀ ଗତ ରବିବାର ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି। ପ୍ରତିଦିନ ବ୍ଲାଷ୍ଟିଂ ଯୋଗୁଁ ଘର ଭିତ୍ତି ଦୋହଲିଯିବା ସହ କାନ୍ଥ ଫାଟି ଯାଉଛି। ଶବ୍ଦ ପ୍ରଦୂଷଣ ବଢ଼ିବାରେ ଲାଗିଛି। ପଥର ଗୁଣ୍ଡ ଉଡ଼ି ନିକଟସ୍ଥ ବଗିଚାର କାଜୁଚାଷ ନଷ୍ଟ ହେଉଛି। ଏଥିସହ ଜମି ଉପରେ ପଥର ଗୁଣ୍ଡ ପଡ଼ିବାରୁ ଦୁଇବର୍ଷ ହେଲା ଚାଷ ପ୍ରଭାବିତ ହେଉଛି। ବର୍ଷା ହେଲେ ଏହି ପଥର ଗୁଣ୍ଡ ବୋହିଯାଇ ପ୍ରାୟ ୩୦୦ ଏକର ଜମିକୁ ଚାଷ ଅନୁପଯୋଗୀ କରିବା ପରିସ୍ଥିତି ସୃଷ୍ଟି ହେଲାଣି। ଏହି ସମସ୍ୟା ବିଷୟରେ ଖାଦାନ କର୍ମଚାରୀଙ୍କୁ ଜଣାଇଲେ ସେମାନେ ହତ୍ୟା ଏବଂ ଗାଁକୁ ବ୍ଲାଷ୍ଟ କରିଦେବା ଧମକ ଦେଉଛନ୍ତି। ଏ ବିଷୟ ଏତଲାରେ ଉଲ୍ଲେଖ କରିଛନ୍ତି ଗ୍ରାମବାସୀ। ଦୁଇ ବର୍ଷ ତଳେ ହୋଇଥିବା ଏହି ପଥର ଖାଦାନ ସହ କ୍ରଶରକୁ ଆନ୍ଧ୍ରର ଏକ କମ୍ପାନୀ ପରିଚାଳନା କରୁଛି। ଏହି କ୍ରଶରକୁ ନେଇ ଅତୀତରେ ଅନେକ ଥର ଅଞ୍ଚଳବାସୀ ବିରୋଧ କରିଆସୁଛନ୍ତି। ବର୍ତ୍ତମାନ ମଧ୍ୟ ଏହାକୁ ନେଇ ବିରୋଧ ଲାଗି ରହିଛି। କିନ୍ତୁ ଯେଉଁମାନେ ସ୍ବର ଉତ୍ତୋଳନ କରୁଛନ୍ତି, ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଇ ଚୁପ୍‌ କରାଇ ଦିଆଯାଉଛି। ଗତ ବର୍ଷ ରାଜସ୍ବ ବିଭାଗକୁ ମଧ୍ୟ ଅନେକ ଥର ଅଭିଯୋଗ ଦିଆଯାଇଛି। କିନ୍ତୁ ଅଧିକାରୀମାନେ ଏହାକୁ ଚପାଇ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପରିବେଶ ମଞ୍ଜୁରୀ ନ ଥାଇ ଉକ୍ତ ଖାଦାନ ଏବଂ କ୍ରଶର ଚାଲୁଥିବା ଅଭିଯୋଗ ପରେ ଗତ ବର୍ଷ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଏହାକୁ ସିଲ କରାଯାଇଥିଲା। ବର୍ତ୍ତମାନ ପୁଣି ସେହି ସମସ୍ୟା ନେଇ ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।