Categories: ଗଞ୍ଜାମ

ଚାଷୀ ସମାବେଶରେ ମନ୍ତ୍ରୀ, ବିଧାୟକ:  ଚାଷ ପ୍ରତି ଆଗ୍ରହ ରଖିଲେ ବିକାଶ ହେବ

ଛତ୍ରପୁର,୧୨ା୯(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସଂସ୍କୃତି ଭବନଠାରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୁଧବାର ଚାଷୀ ସମାବେଶ ଆୟୋଜନ ହୋଇଥିଲା। ଶ୍ରମିକ ନେତା ରାଜେନ୍ଦ୍ର ଦାଶ ସ୍ବାଗତ ସମ୍ଭାଷଣ ଦେଇଥିବା ବେଳେ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ, ସଭାପତି ତ୍ରିନାଥ ବିଶ୍ୱାଳ ଏହାକୁ ସଂଯୋଜନା କରିବା ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ଉତ୍‌ଥାପନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କାଳିଆ ଯୋଜନାରେ ଚାଷୀ, ଭାଗଚାଷୀ, ଭୂମିହୀନ, କୃଷି ଶ୍ରମିକମାନଙ୍କୁ ସାମିଲ କରି ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଦରଦୀ ବନ୍ଧୁ ବୋଲି ଦର୍ଶାଇଥିଲେ। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାର ସର୍ବଦା ଉଦ୍ୟମ କରିଛନ୍ତି ଏବଂ ଆସନ୍ତା ବର୍ଷରୁ ଚାଷୀଙ୍କଠାରୁ ଧାନ ଭଳି ମୁଗ ଓ ବିରି ମଧ୍ୟ କିଣାଯିବ ବୋଲି ସେ ସୂଚନା ଦେଇଥିଲେ ା ମନ୍ତ୍ରୀ ସ୍ବାଇଁ କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣନୀତିକୁ କଡା ସମାଲୋଚନା କରିଥିଲେ ା
ସମାବେଶରେ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲା ରାଜ୍ୟରେ ଚାଷ କ୍ଷେତ୍ରରେ ଆଗରେ ରହିଛି ବୋଲି କହିଥିଲେ। ଚାଷ ଦେଶ ଓ ରାଜ୍ୟର ଉନ୍ନତି କରିଛି ା ଚାଷ କ୍ଷେତ୍ରରେ ଅଧିକ ଆଗ୍ରହ ରଖିଲେ ଆହୁରି ବିକାଶ ହୋଇପାରିବ ବୋଲି ସେ କହିଥିଲେ ା ଆର୍ଯ୍ୟପଲ୍ଲୀରେ ପ୍ରସ୍ତାବିତ ମତ୍ସ୍ୟ ଜେଟି ନିର୍ମାଣ ହୋଇ କାର୍ଯ୍ୟକାରୀ କରାଯିବ। ଜିଲାରେ ବର୍ଷକ ମଧ୍ୟରେ ୧୦ ଲକ୍ଷ ଅଣ୍ଡା ଉପତ୍ାଦନ ବଢିବ ବୋଲି ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି। ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ଚାଷର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ନଦୀ କୂଳରେ ଇଟାଭାଟିକୁ ନାପସନ୍ଦ କରିଥିଲେ ା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀର ବିକାଶ ପାଇଁ ଅହରହ ଉଦ୍ୟମ କରିଚାଲିଥିବା ଋଷିକୁଲ୍ୟା ରୟତ ମହାସଭାକୁ ପ୍ରଶଂସା କରିବା ସହ ଚାଷୀମାନେ ପଞ୍ଜୀକରଣ କରିବାକୁ ପରାମର୍ଶ ଦେଇଥିଲେ ା ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ଚାଷୀ ନେତା ସୁଧୀର ସାହୁ, ସୀତାରାମ ପାଣିଗ୍ରାହୀ, କିଶୋର ଚନ୍ଦ୍ର ସେନାପତି ପ୍ରମୁଖ ମଞ୍ଚାସୀନ ଥିଲେ ା ଚାଷୀ ନେତା ବିଜୟ ସ୍ବାଇଁ ଓ ଅନ୍ୟ ଚାଷୀ ନିଜ ମତ ରଖିଥିଲେ ା