ଚାଷୀ ସମସ୍ୟାକୁ ଗୃହରେ ଜୋରଦାର କରିବ କଂଗ୍ରେସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଚାଲିବ। ଗୃହରେ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଥିବାବେଳେ ଶାସକ ଦଳ ସଦସ୍ୟଙ୍କୁ ଘେରିବା ଲାଗି ବିରୋଧୀ କଂଗ୍ରେସ ମଧ୍ୟ ନିଜର ପ୍ରସ୍ତୁତି କରିଛି। ମାତ୍ର ଯେହେତୁ କଂଗ୍ରେସର ସମସ୍ତ ସଦସ୍ୟ ବୈଠକରେ ଉପସ୍ଥିତ ନ ଥିଲେ ସେଥିଲାଗି ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଆଉଥରେ ବିଧାୟକ ଦଳ ବୈଠକ ବସିବ ବୋଲି ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି। ନରସିଂହ ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଛି। ମୁଖ୍ୟତଃ ଚାଷୀ ପ୍ରସଙ୍ଗକୁ ଗୃହରେ ଜୋରଦାର୍‌ କରାଯିବ। ରାଜ୍ୟର ଚାଷୀମାନେ ଘୋର ସମସ୍ୟା ଦେଇ ଗତି କରୁଛନ୍ତି। ଚାଷୀଙ୍କୁ ସରକାର ଏକପ୍ରକାର ଶୋଷଣ କରିଚାଲିଛନ୍ତି। ଚାଷୀ ଏ ପର୍ଯ୍ୟନ୍ତ ଟୋକନ ପାଇନାହାନ୍ତି। କଟ୍‌ନୀ, ଛଟ୍‌ନୀ ପ୍ରବଳ ମାତ୍ରାରେ ବଢ଼ିଯାଇଛି। ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏତେ ପରିମାଣରେ ଲୁଟ୍‌, ଡକାୟତି, ବଳାତ୍କାର, ହତ୍ୟା ବଢ଼ିଯାଇଛି ତାହା ଏକପ୍ରକାର ସୀମା ଅତିକ୍ରମ କରିସାରିଲାଣି। ଯଦି କୌଣସି ଘଟଣାରେ ଜନସାଧାରଣ ଆନ୍ଦୋଳନ କରିବାକୁ ଚେଷ୍ଟା କରୁଛନ୍ତି ତେବେ ପୋଲିସ ମାଧ୍ୟମରେ ସରକାର ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି। ପିସି କାରବାର ଚରମ ସୀମାରେ ପହଞ୍ଚି ସାରିଲାଣି। ଏମିତି କୌଣସି ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟ ନାହିଁ ଯେଉଁଠି ପିସି କାରବାର ଚାଲୁନାହିଁ। ଦୁର୍ନୀତି ମୁକ୍ତ ନୁହେଁ, ବରଂ ଦୁର୍ନୀତି ଯୁକ୍ତ ଓଡ଼ିଶା ହେବାରେ ଲାଗିଛି। ଦାଦନ ସମସ୍ୟା ବଢ଼ିବା ସାଙ୍ଗକୁ ଲୋକମାନେ ନିଯୁକ୍ତି ନ ପାଇ ଗାଁକୁ ଫେରିଯାଉଛନ୍ତି ବୋଲି ନରସିଂହ କହିଛନ୍ତି।