ଚାଷୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ବିରୋଧୀ ଦଳ ନେତାଙ୍କ ଅନୁଧ୍ୟାନ

କେସିଙ୍ଗା,୨୫।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତର ବାହାଦୂରପଦର ଗ୍ରାମର ଚାଷୀ ଡମ୍ବରୁଧର ପୋଢ଼ (୩୫) ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବର୍ତ୍ତମାନ ଡମ୍ବରୁଧର ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି । ଉକ୍ତ ଘଟଣା ଜଣାପଡ଼ିବା ପରେ ଶନିବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଚାଷୀ ଡମ୍ବରୁଧରଙ୍କ ଘର ପରିଦର୍ଶନ କରି ଘଟଣାର ଅନୁଧ୍ୟାନ କରିଥିବା ଜଣାପଡିଛି। ତାଙ୍କ ପରିବାରବର୍ଗଙ୍କୁ କିଭଳି ଟଙ୍କା ମିଳିବା ସେହି ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ନାଏକ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କ ସ୍ତ୍ରୀଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୮ ତାରିଖରେ ବାହାଦୂରପଦର ଗ୍ରାମର ବାସୁଦେବ ପୋଢ଼ଙ୍କ ପୁଅ ଡମ୍ବରୁଧର ପୋଢ଼ ନିଜ ଚାଷ ଜମିରେ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଜାଣିବା ପରେ ଉକ୍ତ ଅପରାହ୍ନ ୩ ଘଣ୍ଟାରେ ଭବାନୀପାଟଣା ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲାକୁ ସ୍ଥାନାନ୍ତରିତ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଯେ, ଗତ ୨୦୧୬ରେ ଜଳନିଧି ଯୋଜନାରୁ କୂଅ ଖୋଳିବାକୁ କୃଷି ବିଭାଗ ପକ୍ଷରୁ ଡମ୍ବରୁଧର ପୋଢ଼ଙ୍କ ବାପା ବାସୁଦେବ ପୋଢ଼ଙ୍କ ନାମରେ ଆଦେଶନାମା ପ୍ରଦାନ କରାଯାଇଛି । ସେହିପରି ଉକ୍ତ ଗ୍ରାମର ୪ଜଣ ଚାଷୀଙ୍କ ନାମରେ ଆଦେଶନାମା ପ୍ରଦାନ କରାଯାଇଥିଲା । ୪ ଜଣ ଚାଷୀ କୂଅ ମଧ୍ୟ ଖୋଲିଛନ୍ତି। କିନ୍ତୁ ଆଜିଯାଏ କୃଷି ବିଭାଗ ପକ୍ଷରୁ ଅର୍ଥ ପାଇନାହାନ୍ତି । ଗୋଟିଏ କୂଅପ୍ରତି ୭୫ ହଜାର ବ୍ୟୟ ଅଟକଳରେ ଖୋଳିବାରେ ନିୟମ ରହିଛି । ଆଜକୁ ୩ ବର୍ଷ ହେଲା କେହିବି ଉକ୍ତ କୂଅ ବାବଦକୁ ଅର୍ଥ ପାଇନାହାନ୍ତି । ଡମ୍ବରୁଧର ପୋଢ଼ ଚାପଗ୍ରସ୍ତ ହୋଇ ଗତ ୧୮ ତାରିଖରେ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ସଂକ୍ରାନ୍ତରେ କେସିଙ୍ଗା କୃଷି ବିଭାଗର ସହକାରୀ କୃଷି ଅଧିକାରୀ ବିଶ୍ୱନାଥ ମହାପାତ୍ରଙ୍କୁ ପଚାରିବାରୁ ଡମ୍ବରୁଧର ପୋଢ଼ ଆମ ହିତାଧିକାରୀ ନୁହେଁ, ସେ କିପରି ଆତ୍ମହତ୍ୟା କଲେ ସେଥି ପାଇଁ କୃଷି ବିଭାଗ କିମ୍ବା ମୁଁ ଦାୟୀ ନୁହେଁ ବୋଲି ପ୍ରକାଶ କରିଥିଲେ ।