ଚାଷୀଙ୍କ ଲାଗି ୬ ପ୍ରସ୍ତାବ ଦେଇଛି ରାଜ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦିଲ୍ଲୀ ନୀତି ଆୟୋଗ ବୈଠକରେ କୃଷକର ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି। କୃଷିମନ୍ତ୍ରୀ ଅରୁଣ ସାହୁ ବୈଠକରୁ ଫେରିବା ପରେ ଶନିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାଗଚାଷୀ ଯେପରି ସହଜରେ କୃଷି ଋଣ ପାଇବେ, ଉଦ୍ୟାନ କୃଷି, ପଶୁପାଳନ କ୍ଷେତ୍ରରେ ଉନ୍ନତି ପାଇଁ ପଦକ୍ଷେପ, ମତ୍ସଜୀବୀଙ୍କୁ ବୀମାରେ ଅନ୍ତର୍ଭୁକ୍ତ କରିବା, କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହାଛଡ଼ା ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ ପ୍ରଣାଳୀକୁ ସୁଦୃଢ଼ ପାଇଁ ପ୍ରସ୍ତାବ ଦିଆଯାଇଥିବା ମଧ୍ୟ ସେ କହିଛନ୍ତି।