ଚାଷୀଙ୍କ ପାଇଁ ୧୬ସୂତ୍ରୀ ଯୋଜନା: ୨୦୨୨ ସୁଦ୍ଧା ଆୟ ହେବ ୨ ଗୁଣା

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା ଲାଗୁ କରିବାକୁ ସୀତାରମଣ ସୂଚନା ଦେଇଛନ୍ତି। ସେହିପରି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣା କରିବା ଲକ୍ଷ୍ୟ ନେଇ ସରକାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି। କୃଷି ବିକାଶ ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଯୋଗାଇ ଦିଆଯିବ। ଏହାଦ୍ୱାରା ଫସଲ ହାନୀ ହେଲେ ମଧ୍ୟ ଚାଷୀଙ୍କର କୌଣସି ଆର୍ଥିକ କ୍ଷତି ହେବ ନାହିଁ। ଦେଶର ସମସ୍ତ ରାଜ୍ୟ ସରକାର ମଡେଲ ଏଗ୍ରିକଲଚର ଲାଣ୍ଡ୍‌ ଆକ୍ଟ ଲାଗୁ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଚାଷ ପାଇଁ ଜଳସେଚନ ଅସୁବିଧା ଦୂର ପାଇଁ ଦେଶର ୧୦୦ ଜିଲାରେ ଆବଶ୍ୟକ ସୁବିଧା ସୁଯୋଗ ଚାଷୀଙ୍କୁ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କ ସୋଲାର ପମ୍ପ୍‌ ସୁବିଧା ପ୍ରଦାନ କରାଯିବ। ସେହିପରି ୧୫ ଲକ୍ଷ ଚାଷୀଙ୍କ ଗ୍ରୀଡ୍‌ ପମ୍ପ୍‌କୁ ସୋଲାର ପମ୍ପ୍‌ ସହିତ ସଂଯୁକ୍ତ କରାଯିବାର ବ୍ୟବସ୍ଥା ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

Share