ଚାଷୀଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇନେଲା ପୋଲିସ

ରତ୍ନଗିରି, ୧ା୫ (ଡି.ଏନ.ଏ.): ଲକ୍‌ଡାଉନ ଜାରି ରହିଥିବାବେଳେ ସରକାରୀ ନିର୍ଦ୍ଦେଶ ମୁତାବକ ସବୁ ଜିଲାର ସୀମା ସିଲ୍‌ କରିଦିଆଯାଇଛି। ଏ ସମୟରେ ଦୋକାନବଜାର ବନ୍ଦ ରହିଥିଲେ ହେଁ ଚାଷକାର୍ଯ୍ୟ ପାଇଁ ସରକାର କୋହଳ କରିଛନ୍ତି। ପନିପରିବା ଚାଷୀ ସେମାନଙ୍କ ଉପତ୍ାଦିତ ସାମଗ୍ରୀ ବିକ୍ରି କରିବାରେ କୌଣସି କଟକଣା ନାହିଁ ବୋଲି କୁହାଯାଇଛି। ଏପରିସ୍ଥଳେ ପରିବା ବିକ୍ରି କରିବାକୁ ଆସିଥିବା କିଛି ଚାଷୀ ପୋଲିସ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ପୋଲିସ ସେମାନଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏଭଳି ଘଟଣା କେନ୍ଦ୍ରପଡା ଜିଲାର ଇନ୍ଦୁପୁରଠାରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲା ବରୀ ବ୍ଲକ୍‌ର ଗମୁଁ, ମହାକାଳପଡା, ମିତ୍ରସେନପୁର ଓ ଢିଅପାଳ ଗ୍ରାମର ଚାଷୀମାନେ ବିରୂପା ନଦୀ ପଠାରେ ପୋଟଳ, ବାଇଗଣ, କଲରା, ଝୁଡଙ୍ଗ ପ୍ରଭୃତି ପରିବା ଚାଷ କରି ଏହାକୁ ୨କି.ମି. ଦୂର ନଦୀ ଆରପଟ ଇନ୍ଦୁପୁରକୁ ବିକ୍ରି କରିବାକୁ ନେଇଥାନ୍ତି। ଶୁକ୍ରବାର ଚାଷୀମାନେ ନଦୀପାର ହୋଇ ଇନ୍ଦୁପୁର ବଜାର ରାସ୍ତା କଡରେ ପରିବା ରଖୁଥିବା ସମୟରେ ନିକିରାଇ ପୋଲିସ ପହଞ୍ଚତ୍ ଆକ୍ରମଣ କରିବାରୁ ସେମାନେ ଭୟଭୀତ ହୋଇ ନଦୀରେ ପହଁରି ନିଜ ଗ୍ରାମକୁ ଫେରି ଆସିଥିଲେ। ପିସିଆର ଭ୍ୟାନରେ ପୋଲିସ କର୍ମଚାରୀ ଚାଷୀଙ୍କ ପରିବା ଲଦି ନେଇଯାଇଥିବା ନେଇ ଚାଷୀ ଖଗେଶ୍ୱର ମଲିକ, ଅଭିମନ୍ୟୁ ମଲିକ, ବାନାମ୍ବର ମଲିକ, ମନ୍ମଥ ମଲିକ ପ୍ରମୁଖ ପ୍ରକାଶ କରିଛନ୍ତି। ଲକ୍‌ଡାଉନ ଯୋଗୁ ଏମାନେ ଲିଖିତ ଅଭିଯୋଗ କରିପାରି ନ ଥିବା କହିଛନ୍ତି। ବରୀ ଅଞ୍ଚଳର ଚାଷୀମାନଙ୍କ ପ୍ରତି କେନ୍ଦ୍ରାପଡା ଜିଲା ପୋଲିସର ଏଭଳି ଅମାନବିକ କାର୍ଯ୍ୟକୁ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ନିମାଇଁ ଚରଣ ରାୟ ତୀବ୍ର ନିନ୍ଦା କରିଛନ୍ତି। ଆଗାମୀ ଦିନରେ ଚାଷୀମାନଙ୍କ ଉପରେ ଏଭଳି ବେଆଇନ କାର୍ଯ୍ୟାନୁଷ୍ଠାନ ନିଆଗଲେ ସଂଗଠନ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ କୁମାର ଦେ’ଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣା ବିଷୟରେ ମୁ ଜାଣି ନ ଥିଲି। ତଥାପି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ସେ କହିଥିଲେ।