ଚାଷୀଙ୍କୁ ଦିଆଯିବ ୬୫୦୦ କୋଟି ଟଙ୍କାର ଫସଲ ଋଣ

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ରବିଋତୁରେ ଚାଷୀମାନଙ୍କୁ ସ୍ବଳ୍ପମିଆଦୀ ଫସଲ ଋଣ ପ୍ରଦାନକୁ ଦ୍ୱରାନ୍ବିତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏ ଦିଗରେ ଜିଲାପାଳମାନେ ତ୍ୱରିତ ପଦକ୍ଷେପ ନେବାକୁ ସମବାୟ ବିଭାଗ ସଚିବ ବୀରବିକ୍ରମ ଯାଦବ ସୋମବାର ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟର ମୋଟ ଫସଲ ଋଣର ୬୫ରୁ ୭୦ ପ୍ରତିଶତ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଦିଆଯାଉଛି। ୨୦୧୯ରେ ଖରିଫଋତୁରେ ୧୭.୯୬ ଲକ୍ଷ ଜଣ ଚାଷୀଙ୍କୁ ୭୩୩୦.୫୬କୋଟି ଟଙ୍କା ଫସଲ ଋଣ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଇଥିଲା।