ଚାଲିଛି ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣ

କେନ୍ଦୁଝର, ୧୭ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଉପଲକ୍ଷେ ରଥ ନିର୍ମାଣ ଚାଲିଛି। ୭୨ ଫୁଟ ଉଚ୍ଚ ବିଶ୍ୱର ସର୍ବୋଚ୍ଚ ରଥ ଭାବରେ କେତେକ ଜାତୀୟ ସ୍ତରର ସଂସ୍ଥା ଦ୍ୱାରା ବିବେଚିତ ହେବା ପରେ ଏହି ରଥର ଗୁରୁତ୍ୱ ବୃଦ୍ଧି ପାଇଛି ା ପୁରୀରେ ରଥ ନିର୍ମାଣ ଆରମ୍ଭ ହେବା ପରେ ଏଠାରେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ମହାରଣା ସେବାୟତମାନେ ଆରମ୍ଭ କରିଛନ୍ତି।
କରୋନା ପାଇଁ ସବୁଠି କଟକଣା ପରେ ଦେବାଦେବୀ ପୀଠରେ ସାମୂହିକ ପୂଜାର୍ଚ୍ଚନା ଓ ଯାନିଯାତ୍ରା ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରଥ ନିର୍ମାଣ ଚାଲିଛି। ଲକ୍‌ଡାଉନ୍‌ ଗାଇଡଲାଇନକୁ ପାଳନ କରି ରଥ ନିର୍ମାଣ ଚାଲିଥିବା ଜଣାପଡିଛି। ରଥ ଖଳାକୁ ବିଶୋଧନ କରାଯାଇ ନିର୍ମାଣ କାମ ଆରମ୍ଭ ହୋଇଛି। ପୁରୁଣା ରଥକୁ ଖୋଲାଯାଇ ନୂଆ କାମ ଚାଲିଛି ା ମହାରଣା ସେବାୟତ ମାନେ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ବଜାୟ ରଖି ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ଯଥା ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଆଶା ରଖିଥିବା ମହାରଣା ସେବାୟତମାନେ କହିଛନ୍ତି ା ରଥ ମହାରଣା ଇନ୍ଦ୍ରମଣି ମହାରଣା କହିଛନ୍ତି ଯେ, ରଥ ନିର୍ମାଣ ବିଳମ୍ବ ହୋଇଥିଲେ ହେଁ ୧୧ ତାରିଖରୁ ଆରମ୍ଭ କରାଯାଇଛି। ଠିକ୍‌ ସମୟରେ ରଥ ନିର୍ମାଣ ଶେଷ କରିବାକୁ ଉଦ୍ୟମ କରୁଛୁ। କରୋନା ପାଇଁ ରଥଯାତ୍ରା ପାଳନ ହେବ କି ନାହିଁ ସେ ନେଇ ତଥ୍ୟ କାହା ପାଖରେ ନାହିଁ ା ତେବେ ପରିସ୍ଥିତି ସୁଧୁରିବ ଏବଂ ରଥ ଯାତ୍ରା ହେବ ସେ ନେଇ ଭକ୍ତମାନେ ବହୁ ଆଶା ବାନ୍ଧିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି ଯେ, ୩୦ଜଣ ଲୋକ ଏହି ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି। ଠିକ ସମୟରେ ନିର୍ମାଣ ଶେଷ କରିବାକୁ କୁହାଯାଇଛି।