ଚାର୍ଜରେ ବସାଇ ଛାତି ଉପରେ ରଖିଥିଲେ ମୋବାଇଲ: ଫାଟି ରାଜମିସ୍ତ୍ରୀଙ୍କ ଜୀବନଗଲା

ପାରାଦୀପ, ୧୧।୧୧(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଅଠରବାଙ୍କି ଲକପଡ଼ାସ୍ଥିତ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାୟଳରେ ସୋମବାର ସକାଳେ ମୋବାଇଲ ଫାଟି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନୟାଗଡ଼ ଜିଲା ରଣପୁର ଅଞ୍ଚଳର ମୁନା ପ୍ରଧାନ(୩୫)।
ପ୍ରକାଶ ଯେ, ପାରାଦୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ ପକ୍ଷରୁ ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିରରେ ମୁନା ରାଜମିନ୍ତ୍ରୀ ଭାବେ କାମ କରୁଥିଲେ। ରବିବାର ରାତିରେ ୨ ସାଥୀଙ୍କ ସହ ସଂଘ କାର୍ଯ୍ୟାଳୟର ଉପର ଘରେ ସେ ଶୋଇଥିଲେ। ମୁନା ଫୋନ୍‌କୁ ଚାର୍ଜରେ ବସାଇ ଛାତିରେ ରଖି ଶୋଇପଡ଼ିଥିଲେ। ହଠାତ୍‌ ବିଳମ୍ବିତ ରାତିରେ ମୋବାଇଲ ଗରମ ହୋଇ ବିସ୍ଫୋରଣ ଘଟି ତାଙ୍କର ମୃତ୍ୟୁ ଘଟିଥିବା ଅନ୍ୟ ୨ ସାଥୀ କହିଛନ୍ତି। ତେବେ ଏଥିରେ ଅନ୍ୟ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ଅତନ୍ତ ଆରମ୍ଭ କରିଛି।