Categories: ରାଜ୍ୟ

ଚାନ୍ଦପୁର ଗଡ଼ା ନିକଟରେ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ସଫାରି; ୨ ମୃତ, ୪ ଗୁରୁତର

ରାହାମା,୨୧ା୫(ଡି.ଏନ.ଏ.): କଟକ-ପାରାଦୀପ ରୋଡ୍‌ର କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ଚାନ୍ଦପୁର ଗଡ଼ାଠାରେ ମଙ୍ଗଳବାର ଅପରାହ୍ନ ୫ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ପଛପଟୁ ଦ୍ରୁତଗତିରେ ଏକ ସଫାରି ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ତେବେ ମୃତାହତଙ୍କ ପରିଚୟ ମିଳିପାରିନାହିଁ। ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଅଟୋ (ନଂ.ଓଡି୩୩ଇ୮୭୦୪) ପାରାଦୀପ ଆସି ଅପରାହ୍ନରେ ଫେରୁଥିଲା। ବାଟରେ ବିଭିନ୍ନ ସ୍ଥାନରୁ ଅଟୋ ଚାଳକ ଯାତ୍ରୀ ଉଠାଇ ନେଉଥିଲେ। ସେଥିରେ ଚାଳକଙ୍କ ସମେତ ୬ ଜଣ ଥିଲେ। ଏହି ସମୟରେ ଚାନ୍ଦପୁର ଗଡ଼ା ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ସଫାରି (ନଂ.ଓଆର୦୫ଏଭି୫୬୦୦) ଅଟୋକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ପ୍ରାୟ ୨୦ଫୁଟ ଉପରକୁ ଉଠି ତଳେ ପଡି ଚୁରମାର ହୋଇଯାଇଥିଲା। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ଜଣଙ୍କୁ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୪ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ସଫାରିଟି ମଧ୍ୟ ଓଲଟି ପଡିଥିଲା। ସେଥିରେ ଥିବା ୩ଜଣ ଯୁବକଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିବାକୁ ପ୍ରସ୍ତୁତ ହେଉଥିବାବେଳେ କୁଜଙ୍ଗ ଥାନା ଆଇଆଇସି ଦିଲୀପ ସାହୁ ସଦଳବଳ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।