ଚାକିରି ନଁ।ରେ ଅର୍ଥ ଲୁଟ୍‌ ଘଟଣା:`ଯୁବକ କୋର୍ଟ ଚାଲାଣ

ଫୁଲବାଣୀ ଅଫିସ, ୨୭।୬-ଚାକିରି ଦେବା ନାମରେ କନ୍ଧମାଳର ଯୁବକଙ୍କଠାରୁ ବ୍ୟାପକ ପରିମାଣର ଅର୍ଥ ଲୁଟ୍‌ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା। ଗୁରୁବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଲକ୍ଷ୍ମୀକାନ୍ତ ମେହେର। ଘର କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚେଇଗୁଡା। ତାଙ୍କ ନାମରେ ଭବନୀପାଟଣା, ଜୁନାଗଡ, ସୁନ୍ଦରଗଡ ଥାନାରେ ମାମଲା ରହିଥିବା ଟାଉନ ଥାନାଧିକାରୀ ତିରୁପତି ଚୌଧୁରୀ ସୂଚନା ଦେଇଛନ୍ତିି।
ସୂଚନାଯୋଗ୍ୟ, ଟିକାବାଲି ଥାନା ଲାଇନପଡା ସୁନାପଙ୍ଗା ଗ୍ରାମର ଲିପୁନ ଦିଗାଲ ଏକ କାନ୍ଥରେ ଚାକିରି ସମ୍ପର୍କିତ ବିଜ୍ଞାପନ ମରାଯାଇଥିବା ଦେଖି ସେଥିରେ ଲେଖା ଥିବା ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ନୟାଗଡରେ ଚାକିରି କରୁଛନ୍ତି। ସିକ୍ୟୁରିଟି ଗାର୍ଡ ପାଇଁ ପିଲା ଦରକାର ବୋଲି କହିଥିଲେ। ଏହା ପରେ ଲିପୁନଙ୍କଠାରୁ ପ୍ରାୟ ୧ ଲକ୍ଷ ଟଙ୍କା ନେଇଥିଲେ। ଏହା ପରେ ସିକ୍ୟୁରିଟି ଗାର୍ଡ ପରିଚୟ ପତ୍ର ପ୍ରଦାନ କରିଥିଲେ। କେବେ ଚାକିରିରେ ଯୋଗଦେବୁ କହିବାରୁ ସେ ବାରମ୍ବାର ଦିନ ଗଡାଇ ଚାଲିଥିଲେ। ପରେ ମତେ କେହି ଟଙ୍କା ଦେଇନ ବୋଲି କହିଥିଲେ। ଏପରିକି ଲିପୁନ ଚାକିରି ପ୍ରଲୋଭନରେ ପଡି ଅନ୍ୟ ପିଲାମାନଙ୍କଠାରୁ ମଧ୍ୟ ଟଙ୍କା ଆଦାୟ କରି ସମ୍ପୃକ୍ତ ଯୁବକଙ୍କୁ ଦେଇଥିଲେ। ଶେଷରେ ଠକାମିର ଶିକାର ହୋଇଥିବା ଜାଣି ଲିପୁନ ଏସ୍‌ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଗିରଫ କରିଛି।