ଚାକିରି ଦେବା ନଁାରେ ଯୁବତୀଙ୍କୁ ବଳାତ୍କାର:ଅର୍ଥ ଲଗାଣକାରୀ ସଂସ୍ଥାର ଓଡ଼ିଶା ମୁଖ୍ୟ ଗିରଫ

କଟକ ରୋଡ,୪-୯(ଡି.ଏନ୍‌.ଏ.): ଜଣେ ଯୁବତୀଙ୍କୁ ଚାକିରି ଦେବା ନଁାରେ ହୋଟେଲରେ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ପୋଲିସ ଏକ ମାମଲା(ନଂ.୨୪୦/୧୯)ରୁଜୁ କରିବା ସହ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଉତ୍ତରପ୍ରଦେଶ ଭାପୁର ଜିଲାର ଭରନା ଥାନା ଅଧୀନ ସିଂଗନପୁର ଅଞ୍ଚଳର ଜୟ କୁମାର(୩୯)। ପୋଲିସ ସୂଚନା ଅନୁଯାୟୀ, ଛତିଶଗଡ ରାୟଗଡ଼ ଅଞ୍ଚଳର ଜଣେ ଯୁବତୀ ରାୟପୁରର ଥିବା ଅର୍ଥ ଲଗାଣକାରୀ ସଂସ୍ଥାରେ କର୍ମଚାରୀ ଥିଲେ। ଉକ୍ତ ସମୟରେ ଅଭିଯୁକ୍ତ ଜୟ ତାଙ୍କ ଉପରିସ୍ଥ ଅଧିକାରୀଭାବେ କାର୍ଯ୍ୟ କରୁଥିଲେ। ଏହା ପରେ ଜୟଙ୍କ ଭୁବନେଶ୍ୱର ବଦଳି ହୋଇଥିବା ବେଳେ ସେ ସେହି ସଂସ୍ଥାର ଓଡ଼ିଶା ମୁଖ୍ୟଭାବେ କାର୍ଯ୍ୟ କରୁଥିଲେ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ପୀଡ଼ିତା ରାୟପୁର କାର୍ଯ୍ୟାଳୟରେ ୧୦ମାସ ଚାକିରି କରିବା ପରେ ଗତ ୪ମାସ ପୂର୍ବେ ଚାକିରି ଛାଡି ଦେଇଥିଲେ। ପୁନର୍ବାର ଚାକିରି କରିବା ପାଇଁ ଯୁବତୀଜଣକ ଗତ ୧୦ଦିନ ପୂର୍ବେ ଜୟଙ୍କୁ ଯୋଗାଯୋଗ କରିଥିଲେ। ଧଉଳି ଥାନା ଅଧୀନ ଗଙ୍ଗୋତ୍ରୀ ନଗର ଅଞ୍ଚଳରେ ଥିବା ଉକ୍ତ ସଂସ୍ଥାର ଶାଖା କାର୍ଯ୍ୟାଳୟରେ କେତୋଟି ପଦବୀ ଖାଲିଥିବା ନେଇ ଜୟ ତାଙ୍କୁ କହିଥିଲେ। ଏହା ସହ ଗତ ୧ତାରିଖରେ ସାକ୍ଷାତକାର ଥିବା ନେଇ ଭୁବନେଶ୍ୱର ଡକାଇଥିଲେ। ଚାକିରି ଆଶାରେ ଯୁବତୀ ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ଉକ୍ତ ଦିନ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନରେ ପହଞ୍ଚି ଜୟଙ୍କ ସହ ଯୋଗାଯୋଗ କରିଥିଲେ। କଟକ ରୋଡରେ ଥିବା ଏକ ହୋଟେଲରେ ରହିବା ପାଇଁ ଜୟ ସେମାନଙ୍କୁ କହିଥିଲେ। ମଧ୍ୟାହ୍ନରେ ସାକ୍ଷତ୍‌କାର ସମୟ ଥିବା ବେଳେ ଜୟ ଏହାକୁ ଗଡାଇ ସନ୍ଧ୍ୟାରେ ରଖିଥିଲେ। ସନ୍ଧ୍ୟାରେ ସାକ୍ଷାତ୍‌କାର ସରିବା ପରେ ଚାକିରି ତୁମର ନିଶ୍ଚିତ ହୋଇଯିବ କହି ଅଭିଯୁକ୍ତ ଉକ୍ତ ହୋଟେଲରେ ଅନ୍ୟ ଏକ ରୁମକୁ ଯୁବତୀଙ୍କୁ ନେଇ ବଳାତ୍କାର କରିଥିଲେ। ଏ ନେଇ ଗତ ୨ତାରିଖରେ ପୀଡ଼ିତାଜଣଙ୍କ ଥାନାରେ ଏତାଲା ଦେଇଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ମଙ୍ଗଳବାର ଗଙ୍ଗୋତ୍ରୀନଗର ଅଞ୍ଚଳର ଏକ ଭଡାଘରେ ରହୁଥିବା ଜୟଙ୍କୁ ଗିରଫ କରିଥିଲା।