ଚାକିରିର ଭିତିରି କଥା

ଅଲେଖ ଚନ୍ଦ୍ର ମିଶ୍ର

ପୁରୁଣା କଥାଟିଏ। ରାଜଦରବାରରେ ଅନେକ ବର୍ଷ ଧରି ଚାକିରି କରୁଥିବା ଜଣେ କର୍ମଚାରୀ ଅବସର ନେଲା ଦିନ ରାଜାଙ୍କୁ ଅନୁରୋଧ କଲା, ମହାରାଜ ଏତେ ଦିନର ଅଭ୍ୟାସ ତ ହଠାତ୍‌ ଛାଡ଼ିହେବନି। ଯଦି ଆଉ କିଛିଦିନ ପାଇଁ ମତେ ଦରବାରକୁ ଆସିବାକୁ ଅନୁମତି ଦିଅନ୍ତେ ଆପଣଙ୍କ ନିକଟରେ କୃତଜ୍ଞ ରହନ୍ତି। ସେଥିପାଇଁ ମୁଁ କିଛି ପାରିଶ୍ରମିକ ମାଗିବିନି। ସେଥିରେ ଅରାଜି ହେବାର କିଛି ନ ଥିଲା। ରାଜା ତା’ର ଅନୁରୋଧ ରକ୍ଷା କଲେ। ଲୋକଟି ପୂର୍ବବତ୍‌ ଦରବାରରେ ଉପସ୍ଥିତ ରହିବାର ସୁଯୋଗ ପାଇଗଲା। ରାଜା ମଞ୍ଚରେ ବସି ବିଚାର କରୁଥିବା ବେଳେ ସେ ଚୁପ୍‌ଚାପ୍‌ ତାଙ୍କ ପଛରେ ଛିଡ଼ାହୋଇ ତାଙ୍କ ଅଲକ୍ଷ୍ୟରେ ତାଙ୍କର ମାନସିକ ସ୍ଥିତିକୁ ଅନୁଧ୍ୟାନ କରେ। ଏତେ ବର୍ଷର ଅଭିଜ୍ଞତା ଯୋଗୁ ରାଜାଙ୍କର କେଉଁ ନିଷ୍ପତ୍ତି ସକାରାତ୍ମକ ହେବ ଓ କେଉଁଟି ନକାରାତ୍ମକ ତାଙ୍କ ଭାବଭଙ୍ଗୀରୁ ସେ ଠଉରେଇ ନିଏ ଏବଂ ସେହି ଅନୁସାରେ କେତେବେଳେ ସମ୍ମତିସୂଚକ ମୁଣ୍ଡ ଟୁଙ୍ଗାରେ ତ କେତେବେଳେ ନାସ୍ତିବାଚକ ଭଙ୍ଗୀରେ ମୁଣ୍ଡ ହଲାଏ। ତା’ର ଅଙ୍ଗଭଙ୍ଗୀକୁ ଲକ୍ଷ୍ୟ କରୁଥାନ୍ତି ସାମ୍ନାରେ ଉପସ୍ଥିତ ଦର୍ଶକମଣ୍ଡଳୀ। ସେ ଏପରି ଭାବରେ ମୁଣ୍ଡ ଟୁଙ୍ଗାରେ ଓ ମୁଖଭଙ୍ଗୀ ଦେଖାଏ ଜଣାପଡ଼େ ରାଜା ଯେମିତି ତା’ରି କଥାରେ ପରିଚାଳିତ ହୋଇ ନିଷ୍ପତ୍ତି ନେଉଛନ୍ତି। କ୍ରମେ ଜନସାଧାରଣଙ୍କର ବିଶ୍ୱାସ ହୋଇଗଲା ଯେ ଲୋକଟି ବୋଧହୁଏ ରାଜାଙ୍କର ଡାହାଣ ହାତ ଏବଂ ସେ ଯାହା କହୁଛି ରାଜା ସେୟା କରୁଛନ୍ତି। ଏଣିକି ଦରବାରରେ କାମ ଥିବା ଲୋକମାନେ ତା’ ଦୁଆରେ ଭିଡ଼ ଜମେଇଲେ। ତା’ର ପତିଆରା ଏତେ ବଢ଼ିଗଲା ଯେ ଦିନ କେଇଟାରେ ସେ ଲକ୍ଷପତି ବନିଗଲା।
ଇଏ ହେଲା ରାଜସେବା ବା ସରକାରୀ ଚାକିରିରେ ଥିବା ଆକର୍ଷଣର ଏକ କ୍ଷୁଦ୍ର ନମୁନା। ବାହ୍ୟ ଦୃଷ୍ଟିରେ ଅବଶ୍ୟ ସରକାରୀ ଚାକିରିରେ କିଛି ସ୍ବତନ୍ତ୍ରତା ରହିଛି। ସେଥିରେ ଥିବା ସ୍ଥାୟିତ୍ୱ, ସ୍ଥିରତା ଓ ନିରାପତ୍ତା ତା’ର ମୁଖ୍ୟ ଉପାଦାନ। ସରକାରୀ ଚାକିରିଟିଏ ପାଇବା ଯେତିକି କଷ୍ଟ ଯିବା ତା’ଠାରୁ ବେଶି କଷ୍ଟ। ଥରେ ଚାକିରିରେ ପଶିଗଲେ ଅବସର ପର୍ଯ୍ୟନ୍ତ ନିଶ୍ଚିନ୍ତ। ଅବସର କିମ୍ବା ମୃତ୍ୟୁ ପରବର୍ତ୍ତୀ ସମୟରେ ପେନ୍‌ସନର ବ୍ୟବସ୍ଥା ରହିଛି। ସରକାରୀ ଚାକିରିଆଙ୍କର ସାମାଜିକ ସ୍ଥିତି ନିଆରା। ତେଣୁ ହୁଏତ କୁହାଯାଏ ‘ପ୍ରତିଷ୍ଠା ରାଜସେବୟା’ (ସରକାରୀ ଚାକିରିରେ ସମ୍ମାନ ମିଳେ)। ସରକାର ବି ଏପରି ମନୋଭାବକୁ ପ୍ରକାରାନ୍ତରେ ଅନୁମୋଦନ କରି ଆରକ୍ଷଣ, ସଂରକ୍ଷଣ, ପ୍ରତ୍ୟର୍ପଣ (ଅନୁକମ୍ପାମୂଳକ) ଇତ୍ୟାଦିର ବ୍ୟବସ୍ଥା କରିଛନ୍ତି। ଏହିପରି କେତେକ ସୁବିଧା ସୁଯୋଗ ପାଇଁ ବୋଧହୁଏ ଆଧୁନିକ ଯୁବସମାଜ ସରକାରୀ ଚାକିରି ପାଇବା ପାଇଁ ବ୍ୟାକୁଳ। ୨୦୧୭ରେ ପ୍ରକାଶିତ ସେଣ୍ଟର ଫର୍‌ ଦ ଷ୍ଟଡି ଅଫ୍‌ ଡେଭ୍‌ଲପିଂ ସୋସାଇଟିଜ୍‌ ନାମକ ଜାତୀୟ ସ୍ତରରେ ପ୍ରତିଷ୍ଠିତ ଏକ ସଂସ୍ଥାର ରିପୋର୍ଟରୁ ଜଣାପଡ଼େ ସାରା ଦେଶର ୬୫% ଲୋକ ସରକାରୀ ଚାକିରିକୁ ପସନ୍ଦ କରନ୍ତି। ମାତ୍ର ୭% ଅନ୍ୟ ଚାକିରି ଚାହାନ୍ତି। ଏହାର ଏକ ସଦ୍ୟ ଦୃଷ୍ଟାନ୍ତ ହେଲା ରେଲଓ୍ବେ ଚାକିରି। କିଛିଦିନ ତଳେ ଭାରତୀୟ ରେଳ ଦ୍ୱାରା ବିଜ୍ଞାପିତ ୬୦,୦୦୦ ଟେକ୍‌ନିକାଲ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଚାକିରି ପାଇଁ ସାରା ଦେଶର ୧୬୬ଟି ସହରରେ ୪୩୯ କେନ୍ଦ୍ରରେ ହେବାକୁ ଥିବା ଅନ୍‌ଲାଇନ ପରୀକ୍ଷା ପାଇଁ ୪୭.୫ ଲକ୍ଷ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିଲେ, ଯାହା ପୃଥିବୀର ସବୁଠାରୁ ବଡ଼ ପରୀକ୍ଷା ଭାବେ ବିବେଚିତ ହୋଇଥିଲା। ସେହିପରି ୬୩,୦୦୦ ନିମ୍ନବର୍ଗର (ଗ୍ରୁପ୍‌ ଡି/ଲେଭଲ୧) ଚାକିରି ଯଥା ହେଲପର, ଖଲାସୀ, ଟ୍ରାକମ୍ୟାନ, ଗ୍ୟାଙ୍ଗମ୍ୟାନ ଇତ୍ୟାଦି ପାଇଁ ୧.୯ କୋଟି ଦରଖାସ୍ତକାରୀଙ୍କ ମଧ୍ୟରେ ଥିଲେ ୨.୫ ଲକ୍ଷ ଡିଗ୍ରୀ ଇଞ୍ଜିନିୟର ଏବଂ ନିୟୁତାଧିକ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀଧାରୀ। ଅବସ୍ଥା ଏମିତି ହେଲାଣି ଯେ ଟେକ୍‌ନିକାଲ ଓ ପ୍ରଫେଶନାଲ କ୍ୱାଲିଫିକେଶନ ଥାଇ ବି ଶ୍ରମିକ ଚାକିରିଟିଏ ମିଳୁନି। ଏକ ଅନୁଧ୍ୟାନରୁ ଜଣାଯାଏ, ସମୁଦାୟ ଚାକିରି ଆଶାୟୀଙ୍କ ମଧ୍ୟରୁ ମାତ୍ର ୩ରୁ ୫ ପ୍ରତିଶତ ଚାକିରି ପାଆନ୍ତି। ଅବଶିଷ୍ଟଙ୍କ ମନରେ ହୁଏ ତ ଏକ ବଞ୍ଚତ୍ତର ଗ୍ଲାନି ରହିଯାଇପାରେ। ମାତ୍ର ଏହା ଠିକ୍‌ ନୁହେଁ। ସେମାନେ ଯଦି ସରକାରୀ ଚାକିରିର ଭିତିରି କଥା ଜାଣନ୍ତେ ତାଙ୍କର ମନସ୍ତାପ ଦୂରେଇ ଯାଆନ୍ତା।
ଆଖିକୁ ଯାହା ଦିଶେ ତାହା ଅସଲ କଥା ନୁହେଁ। ସବୁ ଚକ୍‌ଚକ୍‌ କରୁଥିବା ବସ୍ତୁ ସୁନା ନୁହେଁ। ଜୋତାରେ କେଉଁଠି କଣ୍ଟା ଫୁଟିଛି ତାକୁ ପିନ୍ଧିଥିବା ଲୋକ ହିଁ ଜାଣେ। ଏହାର ଭିତିରି ରହସ୍ୟ କେବଳ ସରକାରୀ ଚାକିରିଆ ହିଁ ଜାଣନ୍ତି। ଥରେ ସରକାରୀ ଚାକିରିରେ ଯୋଗଦେଲେ ସ୍ବାଧୀନତା ଲୋପ ପାଇଯାଏ। ମୁଣ୍ଡ ବନ୍ଧା ପଡ଼ିଯାଏ। ଗୋଡ଼ହାତରେ ବେଡ଼ି ପଡ଼ିଯାଏ ଏବଂ ମୁହଁରେ ତୁଣ୍ଡି ଲାଗିଯାଏ। ଅନ୍ୟ ସମସ୍ତ ରାସ୍ତା ବନ୍ଦ ହୋଇଯାଏ। ସରକାରୀ ଆଦବକାଇଦା ଓ ଆଚରଣ ବିଧିର କ୍ଳିଷ୍ଟତା ଭିତରେ ଲୋକଟି ଅଣନିଃଶ୍ୱାସୀ ହୋଇପଡ଼େ। ନିଜର ଇଚ୍ଛା ବିରୋଧରେ ଅନେକ କାର୍ଯ୍ୟ କରିବାକୁ ପଡ଼େ। ସରକାରୀ ଚାକିରିରେ ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ। ଏକା ପଦବୀରେ ଥିବା ଜଣେ ତୃତୀୟ ଶ୍ରେଣୀ ମାଟ୍ରିକୁଲେଟ ଓ ଜଣେ ସ୍ବର୍ଣ୍ଣ ପଦକଧାରୀ ସ୍ନାତକୋତ୍ତର କିମ୍ବା ଜଣେ ପ୍ରତିଭାବାନ ଇଞ୍ଜିନିୟରଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥାଏ। ବରଂ ବରିଷ୍ଠତା ଭିତ୍ତିରେ ମାଟ୍ରିକୁଲେଟଟି ଆଗ ପ୍ରମୋଶନ ପାଇପାରେ କିମ୍ବା ଜଣଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅଧସ୍ତନ କର୍ମଚାରୀଟିଏ ଦିନେ ତାଙ୍କର ବସ୍‌ ହୋଇପାରେ। ଧାରାବଦ୍ଧ ଜୀବନଶୈଳୀରେ ପେଷିହୋଇ ଜଣେ କର୍ମଠ, ଉଚ୍ଚାଭିଳାଷୀ, ପ୍ରତିଭାବାନ ବ୍ୟକ୍ତି କ୍ରମେ ଅଳସୁଆ ଓ ନିଜର ବୃତ୍ତି ପ୍ରତି ବୀତସ୍ପୃହ ହୋଇପଡ଼େ। ସେଥିପାଇଁ ବୋଧହୁଏ ଅନେକ ପ୍ରତିଭାସମ୍ପନ୍ନ ବ୍ୟକ୍ତି ସରକାରୀ ଚାକିରି ଛାଡ଼ିଦିଅନ୍ତି। କେତେକେ ଅଯଥା ମାନସିକ ଚାପ ଯୋଗୁ ଆତ୍ମହତ୍ୟା ବି କରନ୍ତି। ଅତ୍ୟଧିକ ଅଫିସିୟସ କେତେକ ଅଧିକାରୀ ସାଧାରଣ ଜନତାଠାରୁ ନିଜକୁ ଦୂରେଇ ରଖୁରଖୁ ନିଜ ପରିବାର ଓ ପରିଜନଙ୍କଠାରୁ ବି ଦୂରେଇଯାନ୍ତି। ଫଳରେ ଜୀବନର ଅନ୍ତିମ ପର୍ଯ୍ୟାୟରେ ସେମାନେ ପ୍ରାୟ ଏକା ହୋଇଯାଆନ୍ତି। ଦୀର୍ଘଦିନ ଧରି ପଞ୍ଜୁରିରେ ଆବଦ୍ଧ ପକ୍ଷୀଟିକୁ ମୁକ୍ତ କରିଦେଲେ ବି ସେ ଅନ୍ୟ କୁଆଡ଼େ ନ ଯାଇ ସେଇ ପଞ୍ଜୁରି ଭିତରକୁ ପଶିଆସେ। ସେହିଭଳି କେତେକ ଲୋକ ଅବସର ପରେ ବି ପୁନର୍ନିଯୁକ୍ତିକୁ ଆପଣାନ୍ତି।
ଈଶ୍ୱର ତ ମଣିଷକୁ ଏପରି ଜ୍ଞାନକୌଶଳ ଦେଇଛନ୍ତି, ଯାହା କୌଣସି ନା କୌଣସି ଉପାୟରେ ତାକୁ ସଫଳତା ଦିଏ। ଆବଶ୍ୟକ ହୁଏ କେବଳ ଧୈର୍ଯ୍ୟ ଓ ନିଷ୍ଠା। ଅଥଚ କୃଷ୍ଣସାର ମୃଗ ନିଜ ନାଭିରେ ଥିବା କସ୍ତୁରୀର ସୁଗନ୍ଧକୁ ଜାଣି ନ ପାରି ଚାରିଆଡ଼େ ଘୂରି ବୁଲୁଥିବା ପରି ମଣିଷ ନିଜ ପ୍ରତିଭାର ମୂଲ୍ୟ ବୁଝେନା। ସବୁ ବୃତ୍ତି ସମାନ। ନିଜର ଅଧ୍ୟବସାୟ ବଳରେ ସୁଖ ସମୃଦ୍ଧି ମିଳିବା ଅତି ସହଜ। ଚାକିରି ପାଇଁ ଚିନ୍ତା କାହିଁକି? ଚାକିରିର ଅବଧି ତ ସୀମିତ। ଏହା ଜୀବନର ଏକ ଘଟଣା। ଜୀବନ ନୁହେଁ। ଶାସ୍ତ୍ର ଅନୁସାରେ ତ ଧନ ଅର୍ଜନ ପାଇଁ ଚାକିରିର ସ୍ଥାନ ବହୁତ ନିମ୍ନରେ। ”ବାଣିଜ୍ୟେ ବସତେ ଲକ୍ଷ୍ମୀଃ ତଦର୍ଦ୍ଧଂ କୃଷିକର୍ମଣି, ତଦର୍ଦ୍ଧଂ ରାଜସେବୟା ଭିକ୍ଷାଂ ନୈବଚ ନୈବଚ।“ ଯୁଗ ବଦଳିଯାଇଛି। ଏବେ ଜୀବନଧାରଣ ପାଇଁ ନିତି ନୂଆ ମାଧ୍ୟମ ସୃଷ୍ଟି ହେଉଛି। ଚାକିରି ବଞ୍ଚେଇବା ପାଇଁ ମଣିଷ ଯେତିକି ତ୍ୟାଗ କରେ ଅନ୍ୟଥା ତା’ର କାଣିଚାଏ ବିନିଯୋଗ କଲେ ସମୃଦ୍ଧିର ଦ୍ୱାର ଖୋଲିଯିବ।
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର, ଭୁବନେଶ୍ୱର
ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri