Categories: ମେଟ୍ରୋ

ଚାଓମିନ୍‌ ଫ୍ୟାକ୍ଟ୍ରିରେ ଶିଶୁ ଶ୍ରମିକଙ୍କୁ ନିର୍ଯାତନା : କାମ ନ କରିବାରୁ ମାଡ଼ ଦେଲେ ହେଡ୍‌ ମିସ୍ତ୍ରି

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ଏୟାରଫିଲ୍ଡ ଥାନା ସୁନ୍ଦରପଦା, ବୋତଣ୍ଡା, ଆଦିତ୍ୟନଗରରେ ଥିବା ଏକ ଚାଉମିନ୍‌ ଫ୍ୟାକ୍ଟ୍ରିରେ ଜଣେ ୧୨ ବର୍ଷର ନାବାଳକଙ୍କୁ ନିର୍ଯାତନା ଦିଆଯାଉଥିଲା। ଏପରିକି ସେ କାମ ନ କରିବାରୁ ତାଙ୍କୁ ଫ୍ୟାକ୍ଟ୍ରିରେ କାମ କରୁଥିବା ଜଣେ ହେଡ୍‌ମିସ୍ତ୍ରୀ ନିର୍ଘାତ ମାଡ ମାରିଥିଲେ। ମାଡରେ ଶିଶୁଟିର ପିଠି ଫାଟି ଯାଇଥିବା ଦେଖିବାକୁ ମିଳିଛି। ଖବରପାଇ ସିଡବ୍ଲ୍ୟୁସିର ସଦସ୍ୟମାନେ ଶିଶୁଟିକୁ ଉଦ୍ଧାର କରି ଏୟାରଫିଲ୍ଡ ଥାନାକୁ ହସ୍ତାନ୍ତର କରିଛନ୍ତି। ଥାନାରେ ପୋଲିସ ଓ ସିଡବ୍ଲ୍ୟୁସି ନାବାଳକଙ୍କୁ କାଉନସେଲିଂ କରୁଛନ୍ତି। କିଏ ତାଙ୍କୁ କାହିଁକି ମାଡ ମାରିଲେ ଓ ଏଠାକୁ ସେ କିଭଳି ଆସିଲେ ଏଭଳି ଅନେକ ପ୍ରଶ୍ନ ପଚାରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟ, ନାବାଳକଙ୍କ ଘର ଝାଡଖଣ୍ଡ। ଦଲାଲ ପରିବାର ଲୋକଙ୍କୁ ମିଛ କହି ତାଙ୍କୁ ରାଜଧାନୀକୁ ନେଇ ଆସିଥିଲେ। ଏଠାରେ ବୋତଣ୍ଡାରେ ଥିବା ଚାଉମିନ୍‌ ଫ୍ୟାକ୍ଟ୍ରିରେ କାମ କରାଉଥିଲେ। ଏପରିକି ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିବା ବେଳେ କାମ ନ କଲେ ମାଡ ମାରୁଥିଲେ। ଏଭଳି ରବିବାର ସନ୍ଧ୍ୟାରେ ଶିଶୁଟି କୌଣସି କାମ ଟିକେ ଭୁଲ କରି ଦେଇଥିଲେ। ତାଙ୍କୁ ହେଡ୍‌ମିସ୍ତ୍ରି ଏକ ବାଡିରେ ବାଡେଇଥିଲେ। ଏପରିକି ମାଡରେ ତାଙ୍କ ପିଠି ଫାଟି ଯାଇଥିବା ଦେଖିବାକୁ ମିଳିଥିଲା। ନାବାଳକଙ୍କ ପାଟି ଶୁଣି ସ୍ଥାନୀୟ ଲୋକ କେହି ଜଣେ ସିଡବ୍ଲ୍ୟୁସିକୁ ଖବର ଦେଇଥିଲେ। ରାତି ପ୍ରାୟ ୧୦ଟାରେ ସିଡବ୍ଲ୍ୟୁସି ସେଠାରେ ପହଞ୍ଚତ୍ ନାବାଳକଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଉକ୍ତ ଫ୍ୟାକ୍ଟ୍ରିରେ ଅନ୍ୟ ନାବାଳକମାନେ କାମ କରୁଥିବା ସିଡବ୍ଲ୍ୟୁସି ଖବର ପାଇଛି। ରାତି ହୋଇଯାଇଥିବାରୁ ସେଠାରେ ପୁଣି ସିଡବ୍ଲ୍ୟୁସି ଚଢାଉ କରିବା ସମ୍ଭବ ନୁହେଁ। ତେଣୁ ରାତି ପାହିଲେ ଏ ନେଇ ସେମାନେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିବା ସହ ପୋଲିସ ସହ ସେଠାରେ ଚଢାଉ କରି ଅନ୍ୟ ନାବାଳକମାନଙ୍କୁ ଉଦ୍ଧାର କରାଯିବ ବୋଲି ସିଡବ୍ଲ୍ୟୁସି ଅଧିକାରୀମାନେ କହିଛନ୍ତି। ଏଥିସହ ଉକ୍ତ ଚାଉମିନ୍‌ ଫ୍ୟାକ୍ଟ୍ରିର ମାଲିକ କିଏ ସେନେଇ ମଧ୍ୟ ପୋଲିସ ଖୋଳତାଡ କରିବ ବୋଲି ଜଣାପଡିଛି।