ଚାଇନା ନାଗରିକଙ୍କ ଲୋନ୍‌ ଆପ୍‌ ଠକେଇ ମାମଲା: ନୀତିନ୍‌ଙ୍କ ଜାମିନ ଖାରଜ

ଭୁବନେଶ୍ୱର,୧୨/୮(ବ୍ୟୁରୋ):ଚାଇନା ନାଗରିକଙ୍କ ଦ୍ୱାରା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ସଂକ୍ରାନ୍ତ ମାମଲାରେ ଗିରଫ ହୋଇଥିବା ଭାରତୀୟ ମୁଖ୍ୟ ଅଭିଯୁକ୍ତ ନୀତିନ୍‌ ମଲ୍ଲିକଙ୍କ ଜାମିନ ଆବେଦନକୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ନୀତିନ୍‌ଙ୍କୁ ମୁମ୍ବାଇ ଭିପି ରୋଡ୍‌ ଥାନା ପୋଲିସ ଅଗଷ୍ଟ ୩ରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇ ଏହି ଠକେଇର ଅଧିକ ଖୋଳତାଡ଼ ଜାରି ରଖିଥିବା କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ସୂଚନା ଦେଇଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ନୀତିନ୍‌ ଏମ୍‌ଏସ୍‌ ଗୁଡ୍‌ ଷ୍ଟାର୍ଟ ବିଜ୍‌ନେସ୍‌ ପ୍ରାଇଭେଟ ଲିଃ ଓ ଏମ୍‌ଏସ୍‌ ରାଇଟ୍‌ ଷ୍ଟାର୍ଟ ବିଜନେସ୍‌ ପ୍ରାଇଭେଟ ଲିଃର ନିର୍ଦ୍ଦେଶକ ଅଛନ୍ତି। ସେ ଠକେଇ ର଼୍ୟାକେଟର ମାଷ୍ଟରମାଇଣ୍ଡ୍‌ ଥିବା ୩ ଚାଇନା ନାଗରିକଙ୍କ ସହଯୋଗୀ ଥିଲେ। ନୀତିନ ବିଏସ୍‌ଏନ୍‌ଏଲ୍‌ ଓ ଏୟାରଟେଲ ଆଦି ଟେଲିକମ୍‌ ସଂସ୍ଥାରୁ ବହୁ ସିମ୍‌ ଆଣି ଚାଇନା ମାଷ୍ଟରମାଇଣ୍ଡଙ୍କୁ ଦେଉଥିଲେ। ଏଥିସହ ଉକ୍ତ ସିମ୍‌ ଦ୍ୱାରା ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରିବାକୁ ବିଭିନ୍ନ ଏଜେଣ୍ଟଙ୍କୁ ସେ ନିୟୋଜିତ କରୁଥିଲେ। ଜୁଲାଇ ୧୫ରେ ଇଓଡବ୍ଲ୍ୟୁ ମାମଲା ନଂ.୧୩/୨୨ରେ ନୀତିନ୍‌ଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା।