ଚଳିତ ମାସ ଶେଷ ସୁଦ୍ଧା ଆଧାର ସଂଯୋଗ, ସଂଶୋଧନ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ୍‌ କାର୍ଡଧାରୀମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ ପ୍ରକ୍ରିୟା ଚଳିତ ମାସ ୩୧ ସୁଦ୍ଧା ଶେଷ କରିବା ପାଇଁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମନ୍ତ୍ରୀ ସ୍ବାଇଁ ଆଧାର ସଂଯୋଗ ଓ ରାଶନ କାର୍ଡ ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସେହିପରି ସମବାୟ ବିଭାଗକୁ ଅଧିକ ସକ୍ରିୟ, ଲୋକାଭିମୁଖୀ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ ‘ଟି’ ମନ୍ତ୍ରକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ରଣେନ୍ଦ୍ର କହିଛନ୍ତି ଯେ, ନିଷ୍ଠାର ସହିତ କାର୍ଯ୍ୟକାରୀ କରାଯାଉଛି । କେହି ଜଣେ ଯୋଗ୍ୟ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏହି ଯୋଜନାର ହିତାଧିକାରୀମାନେ ଏଣିକି ରାଜ୍ୟର ଯେକୌଣସି ସାଧାରଣ ଖାଉଟି ବଣ୍ଟନ କେନ୍ଦ୍ରରୁ ପିଡିଏସ୍‌ ସାମଗ୍ରୀ ନେଇପାରିବେ । ସେମାନଙ୍କୁ ନର୍ଦ୍ଦିଷ୍ଟ ଜଣେ ଡିଲର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ା ଆସନ୍ତା ସେପ୍ଟେମ୍ବର ପହିଲାରୁ ପାଇଲଟ୍‌ ପ୍ରକଳ୍ପ ଭାବେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହି ସୁବିଧା ଆରମ୍ଭ କରାଯିବ ା ୨୦୧୯-୨୦ଖରିଫ୍‌ ବିପଣନ ଋତୁରେ ଧାନ ସଂଗ୍ରହ ନିମନ୍ତେ ପ୍ରାଥମିକ କୃଷି ଋଣ ସମବାୟ ସମିତି ଜରିଆରେ ଚାଷୀମାନଙ୍କର ରେଜିଷ୍ଟ୍ରେଶନ୍‌ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଥିଲା।
ଅଗଷ୍ଟ ୬ରୁ ଏହି ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା, ଏହା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଲିବ । ଧାର୍ଯ୍ୟ ତାରିଖ ପରେ ଯଦି କୌଣସି ଚାଷୀ ପଞ୍ଜୀକୃତ ହୋଇପାରି ନାହାନ୍ତି ବୋଲି ଅଭିଯୋଗ ଆସେ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଖରିଫ୍‌ ବିପଣନ ବର୍ଷ ୨୦୧୯-୨୦ ପ୍ରାଥମିକ କୃଷିଋଣ ସମବାୟ ସମିତି ମାଧ୍ୟମରେ ହେଉଥିବା ଏହି ରେଜିଷ୍ଟ୍ରେଶନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରତ୍ୟେକ ଦିନ ସମୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।