ଚଳିତବର୍ଷ ଧାନ ସଂଗ୍ରହ ବଢ଼ିଛି

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟକୁ ଭଲ ବର୍ଷା ଦେଇଛି। ରାଜ୍ୟର ମୁଖ୍ୟ ଫସଲ ଧାନ ଉତ୍ପାଦନ ବୃଦ୍ଧି ପାଇଛି। ଖରିଫ ଋତୁରେ ରାଜ୍ୟ ସରକାର ଗତବର୍ଷ ତୁଳନାରେ ୨୮ ପ୍ରତିଶତ ଧାନ ଅଧିକ ସଂଗ୍ରହ କରିଛନ୍ତି । ରାଜ୍ୟ ସରକାର ଡିସେମ୍ବର ୭ ତାରିଖ ସୁଦ୍ଧା ଚାଷୀଙ୍କ ଠାରୁ ୩୯ ଲକ୍ଷ ୬୮ ହଜାର ୪୬୫ କୁଇଣ୍ଟାଲ ଧାନ ସଂଗ୍ରହ କରି ସାରିଛନ୍ତି । ଏହି ସମୟ ସୁଦ୍ଧା ୨୦୧୮ରେ ୩୦ ଲକ୍ଷ ୮୯ ହଜାର ୯୦୮ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ମଣ୍ଡିରୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୨୮ ପ୍ରତିଶତ ଧାନ ସଂଗ୍ରହ ହୋଇଛି। ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା କରାଯାଇଛି। ଚାଷୀମାନଙ୍କୁ ଅନ୍‌ଲାଇନ ପଞ୍ଜୀକୃତ କରିବା ସହ ପି-ପାସ ବ୍ୟବସ୍ଥା ଓ ଆଗୁଆ ଟୋକନ ଦେବା ବ୍ୟବସ୍ଥା ଯୋଗୁ ଧାନ କ୍ରୟରେ ବୃଦ୍ଧି ଘଟିଛି ବୋଲି ସୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତ ୭ ତାରିଖ ସୁଦ୍ଧା ୧୮ଟି ଜିଲାର ୧ ହଜାର ୧୧୮ଟି ମଣ୍ଡିରେ ୨ଲକ୍ଷ ୪୩ ହଜାର ୨୧୯ ଜଣ ଚାଷୀଙ୍କୁ ଆଗୁଆ ୨ ଲକ୍ଷ ୪୯ ହଜାର ୯୩୨ ଟି ଟୋକନ ପ୍ରଦାନ କରାଯାଇଛି। ଚଳିତ ଖରିଫ ଋତୁରେ ବରଗଡ଼ ଜିଲାରୁ ସର୍ବାଧିକ ୨୬ ହଜାର ୬୦୮ ଜଣ ଚାଷୀଙ୍କଠାରୁ ୧୮ ଲକ୍ଷ ୩୪ ହଜାର ୨୧୪ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବାବେଳେ ବଲାଙ୍ଗୀର ଜିଲାର ୩ ହଜାର ୯୫୯ ଜଣ ଚାଷୀଙ୍କଠାରୁ ୨ ଲକ୍ଷ ୮୩ ହଜାର ୩୫୯ କୁଇଣ୍ଟାଲ, ବୌଦ୍ଧ ଜିଲାର ୨୮୬ ଚାଷୀଙ୍କ ଠାରୁ ୧୪ ହଜାର ୭୮୯ କୁଇଣ୍ଟାଲ, କଳାହାଣ୍ଡି ଜିଲାର ୭ ହଜାର ୨୭୫ ଜଣ ଚାଷୀଙ୍କ ମଧ୍ୟରୁ ୪ ଲକ୍ଷ ୯୬ ହଜାର ୭୧୮ କୁଇଣ୍ଟାଲ, କୋରାପୁଟ ଜିଲାର ୧ ହଜାର ୮୩୯ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୨୬ ହଜାର ୬୪୧ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ସେହିପରି ମାଲକାନଗିରି ଜିଲାର ୪ ହଜାର ୭୧୨ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୮୩ ହଜାର ୨୩୩ କୁଇଣ୍ଟାଲ, ନବରଙ୍ଗପୁର ଜିଲାର ୧ ହଜାର ୨୧୧ ଜଣ ଚାଷୀଙ୍କଠାରୁ ୭୮ ହଜାର ୪୦୨ କୁଇଣ୍ଟାଲ, ନୂଆପଡ଼ା ଜିଲାର ୨ହଜାର ୯୮୧ ଜଣ ଚାଷୀଙ୍କଠାରୁ ୧ ଲକ୍ଷ ୨୮ ହଜାର ୯୮୬ କୁଇଣ୍ଟାଲ, ସମ୍ବଲପୁର ଜିଲାର ୪ହଜାର ୭୬୬ ଜଣଙ୍କ ଠାରୁ ୪ ଲକ୍ଷ ୨୮ ହଜାର ୯୪୮ କୁଇଣ୍ଟାଲ ଏବଂ ସୁବର୍ଣ୍ଣପୁର ଜିଲାର ୪ ହଜାର ୩୧୮ ଚାଷୀଙ୍କଠାରୁ ୩ ଲକ୍ଷ ୬୭ ହଜାର ୭୫୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ସେହିପରି ଧାନ କିଣା ବାବଦକୁ ରାଜ୍ୟ ସରକାର ୫୨ ହଜାର ୯୨୬ ଚାଷୀଙ୍କୁ ୫୮ କୋଟି ୩୭ ଲକ୍ଷ ୫୦ ହଜାର ୮୪୮ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି।