ଚଳଚଞ୍ଚଳ କାଳୀମଣ୍ଡପ ପଡିଆ: ୩୦ ଲକ୍ଷରେ ପୂଜା ଆୟୋଜନ

ତାଳଚେର,୨୭ା୧୦(ନି.ପ୍ର.)- ମା’ ଶ୍ୟାମାକାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ତାଳଚେର ଏମ୍‌ସିଏଲ ନନ୍ଦିରାସ୍ଥିତ କାଳୀମଣ୍ଡପ ପଡିଆ। ନନ୍ଦିରା ଭୂତଳ କୋଇଲା ଖଣି ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଛି। ମଣ୍ଡପ ସମ୍ମୁଖରେ ୭୫ ଫୁଟ୍‌ ଉଚ୍ଚ ଓ ୭୦ ଫୁଟ ଓସାର ବିଶିଷ୍ଟ ମନଲୋଭା ତୋରଣ ପ୍ରସ୍ତୁତ ହୋଇଛି। ଏଥିସହ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟଯୁକ୍ତ ଗେଟ୍‌, ମିନାବଜାର, ନାନା ରକମର ଦୋଳି ଲୋକଙ୍କୁ ଆକୃଷ୍ଟ କରିବାକୁ ଆୟୋଜନ କରାଯାଇଛି। ମା’ ଙ୍କ ପୂଜାରେ ଚଳିତ ବର୍ଷ ଆନୁମାନିକ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ପୂଜାକମିଟି ସଦସ୍ୟମାନଙ୍କ ପକ୍ଷରୁ ପ୍ରକାଶ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ୪ ଦିନ ଧରି ଅପେରା, ଦିବ୍ୟାଙ୍ଗ କଳାକାରମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। କଳସଯାତ୍ରା, ମୃଣ୍ମୟୀ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା, ଜୀବନ୍ୟାସ, ମାତୃକା ପୂଜା ପ୍ରଭୃତି ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମାପନ କରାଯିବ। ଆସନ୍ତା ୩୧ ତାରିଖରେ ମା’ଙ୍କର ଭସାଣି ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଖଣି କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ା ପୂଜାକୁ ଶୃଙ୍ଖଳିତ ଭାବରେ ଉପଭୋଗ କରିବା ପାଇଁ ନନ୍ଦିରା କାଳୀପୂଜା କମିଟିର ସଭାପତି ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ମଳୟ ଦୁବେ, କାର୍ଯ୍ୟକାରୀ ସମ୍ପାଦକ ଅବିନାଶ ସାହୁଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି।