ଚର୍ତୁମାସ୍ୟା ବ୍ରତ ଶେଷ କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୧୪ା୯: ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ପବିତ୍ର ଭାଦ୍ରବ ପୂର୍ଣ୍ଣିମାରେ ଶୁକ୍ରବାର ଚର୍ତୁମାସ୍ୟା ବ୍ରତ ସମାପନ କରିଛନ୍ତି। ଏହି ଅବସରରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠାରୁ ବାହାରି ବାଟମଙ୍ଗଳା ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରିଥିଲେ। ସେଠାରୁ ଫେରି ଶୀମନ୍ଦିର ନିକଟରେ ପହଞ୍ଚତ୍ବା ପରେ ଉଚ୍ଛେଦ ସ୍ଥିତିର ଅନୁଧ୍ୟାନ କରିଥିଲେ। ଗାଡିରେ ବସି ଭଙ୍ଗା ଯାଇଥିବା ମଠ ସ୍ଥଳ ଦେଖିଥିଲେ। ପରେ ସମୁଦ୍ର ଆଳତି କରି ମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଏ ସମ୍ପର୍କରେ ଗୋବର୍ଦ୍ଧନ ପୀଠର ପ୍ରବକ୍ତା ମନୋଜ ରଥ କୁହନ୍ତି, ଆଷାଢ ପୂର୍ଣ୍ଣିମାଠାରୁ ଭାଦ୍ରବ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମୟକୁ ଚର୍ତୁମାସ୍ୟା କୁହାଯାଏ। ଏହି ଚାରିପକ୍ଷକୁ ଚାରିମାସ ଭାବେ ଅଭିହିତ କରାଯାଏ। ଏହି ସମୟରେ ସାଧୁ, ସନ୍ଥମାନେ ଆଶ୍ରମ ଛାଡି ବାହାରକୁ ଯାଆନ୍ତି ନାହିଁ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ପୁରୀ ସୀମା ପାର୍‌ ହୋଇ ନ ଥାନ୍ତି। ପୀଠରେ ରହି ଶିଷ୍ୟ, ସାଧକଙ୍କୁ ଅଦ୍ୱୈତ ବେଦାନ୍ତର ଶିକ୍ଷା ପ୍ରଦାନ କରିଥାନ୍ତି। ଚୁର୍ତୁମାସ୍ୟାର ଶେଷ ଦିନରେ ଅର୍ଥାତ୍‌ ଭାଦ୍ରବ ପୂର୍ଣ୍ଣିମାରେ ଶଙ୍କରାଚାର୍ଯ୍ୟ ବାଟମଙ୍ଗଳା ପର୍ଯ୍ୟନ୍ତ ଯାଇଥାନ୍ତି। ସେଠାରେ ମା ବାଟମଙ୍ଗଳାଙ୍କୁ ଦର୍ଶନ କରି ପୀଠକୁ ଫେରନ୍ତି । ଏହାକୁ ସୀମା ପାର୍‌ ବୋଲି କୁହାଯାଏ। ଶୁକ୍ରବାର ଗୁରୁଜୀଙ୍କ ଚର୍ତୁମାସ୍ୟା ବ୍ରତ ଶେଷ ହୋଇଛି ବୋଲି କହିଥିଲେ।