ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା: ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଚମ୍ପୁଆ, ୧୦ା୭(ଡି.ଏନ.ଏ.): ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ବଢିବାରେ ଲାଗିଛି। କିଛିଦିନ ତଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା କମି ନ ଥିବା ବେଳେ ଗତ ମଙ୍ଗଳବାର ରାତିରେ ସ୍ଥାନୀୟ ଏକ ମହିଳା ରୋଗୀଙ୍କୁ ଡାକ୍ତରଖାନା ପକ୍ଷରୁ ଏକ୍ସପାଏରି ସାଲାଇନ ଦେଇ ପୁଣି ସମସ୍ୟା ଘେରକୁ ଟାଣି ହୋଇଯାଇଛି। କର୍ମଚାରୀଙ୍କ ଅବହେଳାକୁ ଦାୟୀକରି ରୋଗୀ ସମ୍ପର୍କୀୟମାନେ ହୋହଲ୍ଲା କରିବାରୁ ଉତ୍ତେଜନା ଦେଖାଦେଇଛି। ଚମ୍ପୁଆ ଆଇଆଇସି ମନୋରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା କମିଥିଲା।
ସୂଚନା ଅନୁସାରେ ଚମ୍ପୁଆ ଧଳାଡିହି ଗ୍ରାମର ମହେନ୍ଦ୍ର ନାଏକଙ୍କ ସ୍ତ୍ରୀ ମାଳତି ନାଏକଙ୍କୁ ଅସୁସ୍ଥ ଅବସ୍ଥାରେ ମଙ୍ଗଳବାର ରାତି ସାଢ଼ ୧୦ଟାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡ୍ୟୁଟିରେ ଥିବା ଜଣେ ଡାକ୍ତର ମେଡିସିନ ବିଭାଗର ଅନ୍ୟ ଏକ ଡାକ୍ତରଙ୍କୁ କଲ କରିବା ପରେ ଉଭୟ ମାଳତିଙ୍କ ଚିକିତ୍ସା ପାଇଁ ଔଷଧ ଓ ସାଲାଇନ ଲେଖିଥିଲେ। ମାତ୍ର ଡ୍ୟୁଟିରେ ଥିବା ନର୍ସ ଜଣକ ଡାକ୍ତରଖାନାରେ ମିଳୁଥିବା ଏନଏସ ସାଲାଇନ ରୋଗୀଙ୍କୁ ଦେଇଥିଲେ। ସାଲାଇନ ଲାଗିବା ପରେ ରୋଗୀଙ୍କ ସମ୍ପର୍କୀୟ ସାଲାଇନର ତାରିଖ ଦେଖିବାରୁ ଏହା ଏକ୍ସପାଏରି ସାଲାଇନ ବୋଲି ଜଣାପଡିବା ପରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତୁରନ୍ତ ତାହା ଖୋଲିନେଇ ଦୋଷ ଲୁଚାଇବାକୁ ଯାଇ ସାଲାଇନଟିକୁ ଡଷ୍ଟବିନରେ ଫିଙ୍ଗି ଦିଆଯାଇଥିଲା। ତାଙ୍କ ଘରଲୋକ ଚିକିତ୍ସାଳୟରେ ହୋହଲ୍ଲା କରିଥିଲେ। ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ଉତ୍ତେଜନା କମିଥିଲା। ତେବେ ସାଲାଇନର ତାରିଖକୁ ନ ଦେଖି ସାଲାଇନ ଦେବା ରୋଗୀଙ୍କ ସ୍ବାସ୍ଥ୍ୟ ସହ ଖେଳ ଖେଳାଯାଉଥିବା ଅତ୍ୟନ୍ତ ପରିତାପର ବିଷୟ। ୩ଜଣ ରୋଗୀଙ୍କୁ ଏହି ଏକ୍ସପାଏରି ସାଲାଇନ ଦିଆଯାଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ନାଁ କହିବାକୁ ଅରାଜି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ. କର୍ଣ୍ଣରାମ ମହାନ୍ତଙ୍କୁ ପଚାରିବାରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହିତ ଷ୍ଟୋର ରୁମ ଚେକ୍‌ କରାଯାଇ କେଉଁଠୁ ଏହା ଆସିଛି ଏବଂ କର୍ମଚାରୀ କାହିଁକି ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।