ଚମରାବାହାଲ ମାଲିଆ ହତ୍ୟାକାଣ୍ଡ , ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ,୨୩।୭(ସ୍ବ.ପ୍ର.)
ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ସତ୍ୟନାରାୟଣ ଷଡଙ୍ଗୀ ଏକ ହତ୍ୟା ମାମଲାର ବିଚାର କରି ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ସେମାନେ ହେଲେ ମନମୁଣ୍ଡା ଥାନା ଚମରାବାହାଲ ଗ୍ରାମର ଛୁଟା ଓରଫ ଦୁଖୁ ବାରିକ(୫୦) ଏବଂ ବାରଖଣ୍ଡିଆ ଓରଫ ସନ୍ତୋଷ ବାରିକ (୨୬)।
ମାମଲାରୁ ପ୍ରକାଶ ଯେ, ୨୦୧୭ ଏପ୍ରିଲ ୨୬ ତାରିଖରେ ଦୁଖୁ ଏବଂ ସନ୍ତୋଷ ଖଜୁରିତାଡି ପିଇବାକୁ ମାଲିଆ ବାରିକଙ୍କୁ ମାଗିଥିଲେ। ପରେ ସେମାନେ ମିଶି ଖଜୁରୀତାଡି ପିଇଥିଲେ। ପୁଣି ଦୁଖୁ ଓ ସନ୍ତୋଷ ଖଜୁରିତାଡି ଦେବାକୁ ମାଲିଆଙ୍କୁ ମାଗିଥିଲେ ା ହେଲେ ମାଲିଆ ଖଜୁରୀତାଡି ଦେବାକୁ ମନା କରିଦେଇଥିଲେ। ଏନେଇ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଖୁ ଏବଂ ସନ୍ତୋଷ ଏକ ଟାଙ୍ଗିଆରେ ମାଲିଆଙ୍କୁ ଆକ୍ରମଣ କରିଥିଲେ। ଫଳରେ ମାଲିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏନେଇ ମାଲିଆଙ୍କ ସ୍ତ୍ରୀ ସଂଯୁକ୍ତା ବାରିକ ମନମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା(ନଂ.୭୬/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ା ପୋଲିସ ଘଟଣାରେ ସମ୍ପୃକ୍ତ ଦୁଖୁ ଏବଂ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲା ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ମାମଲା(ନଂ ଏସ୍‌ଟି ୮୩/୧୭) ରୁଜୁ ହୋଇ ବିଚାର ହୋଇଥିଲା। ୨୦ଜଣ ସାକ୍ଷୀଙ୍କ ବୟାନ ସହ ଆବଶ୍ୟକ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରା ଷଢଙ୍ଗୀ ଅଭିଯୁକ୍ତ ଦୁଖୁ ଏବଂ ସନ୍ତୋଷଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜରିମାନା ରାୟ ପ୍ରକାଶ କରିଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଧୁରୀଣ ଦେହୁରୀ ପରିଚାଳନା କରିଥିଲେ।