Categories: ଜାତୀୟ

ଚନ୍ଦ୍ରପୃଷ୍ଠର ସାନି ଫଟୋ ଜାରିକଲା ଇସ୍ରୋ

ଚେନ୍ନାଇ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୁନର୍ବାର ଚନ୍ଦ୍ରର ପୃଷ୍ଠଭାଗ ଓ ଏଠାରେ ଥିବା ମୃତ ଆଗ୍ନେୟଗିରି ମୁଖ (କ୍ରେଟର)ର ଫଟୋ ପ୍ରକାଶ କରିଛି। ଚନ୍ଦ୍ରୟାନ-୨ ସ୍ପେସ୍‌କ୍ରାଫ୍ଟର ଟେରାଇନ୍‌ ମ୍ୟାପିଂ କ୍ୟାମେରା-୨ ଦ୍ୱାରା ଏହିସବୁ ଫଟୋ ଉତ୍ତୋଳନ କରାଯାଇଛି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରପୃଷ୍ଠର ୪,୩୭୫ କିଲୋମିଟର ଉଚ୍ଚତାରୁ ଅଗଷ୍ଟ ୨୩ରେ ଏହିସବୁ ଫଟୋ ଉଠାଯାଇଥିଲା। ଉତ୍ତୋଳନ କରାଯାଇଥିବା କ୍ରେଟରଗୁଡିକର ନାମ ଜାକସନ୍‌, ମିତ୍ର, ମାଚ୍‌ ଓ କୋରୋଲେଭ୍‌ ରଖାଯାଇଛି। ଚନ୍ଦ୍ରର ଉତ୍ତର ଗୋଲାର୍ଦ୍ଧରେ ଥିବା ଜାକସନ୍‌ର ବ୍ୟାସ ୭୧ କିଲୋମିଟର। ପଶ୍ଚିମ ଭାଗରେ ଥିବା ମାଚ୍‌ କ୍ରେଟର ନିକଟରେ ମିତ୍ର କ୍ରେଟର ରହିଛି। ଏହାର ବ୍ୟାସ ୯୨ କିଲୋମିଟର। ଏହାର ନାମକରଣ ପ୍ରଫେସର ଶିଶିର କୁମାର ମିତ୍ରଙ୍କ ନାମାନୁସାରେ ହୋଇଛି। ମିତ୍ର ହେଉଛନ୍ତି ଜଣେ ଭାରତୀୟ ପଦାର୍ଥବିଦ୍ୟାବିତ୍‌ ଏବଂ ପଦ୍ମ ଭୂଷଣ ପୁରସ୍କାରପ୍ରାପ୍ତ ବୈଜ୍ଞାନିକ। ଆୟୋନୋସ୍ଫିୟର ଓ ରେଡିଓଫିଜିକ୍ସ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। କୋରୋଲେଭ କ୍ରେଟର ବ୍ୟାସ ୪୩୭ କିଲୋମିଟର ହୋଇଥିବାବେଳେ ଏହା ମଧ୍ୟରେ ବିଭିନ୍ନ ଆକୃତିର ଅନେକ ଛୋଟ ଛୋଟ ଗହ୍ବର ରହିଛି।
ଆଉ ଯେଉଁ ବୃହତ୍‌ କ୍ରେଟର ଫଟୋ ଉତ୍ତୋଳନ କରାଯାଇଛି, ସେହି ଦୁଇଟି ହେଉଛି ସମରଫେଲ୍ଡ ଏବଂ କିର୍କଉଡ୍‌। ଚନ୍ଦ୍ରର ଉତ୍ତର ଅକ୍ଷାଂଶରେ ଥିବା ସମରଫେଲ୍ଡର ବ୍ୟାସ ୧୬୯ କିଲୋମିଟର। ଉକ୍ତ କ୍ରେଟର ନାମକରଣ ଜର୍ମାନ ପଦାର୍ଥବିଜ୍ଞାନୀ ଡ. ଆରନୋଲ୍ଡ ସମରଫେଲ୍ଡଙ୍କ ନାମାନୁସାରେ ହୋଇଛି। ଚନ୍ଦ୍ରର ଉତ୍ତର-ପୂର୍ବ ଭାଗରେ ଥିବା କିର୍କଉଡ କ୍ରେଟର ନାମକରଣ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଡାନିଏଲ୍‌ କିର୍କଉଡ୍‌ଙ୍କ ନାମାନୁସାରେ ହୋଇଛି। କିର୍କଉଡ୍‌ର ବ୍ୟାସ ପାଖାପାଖି ୬୮କିଲୋମିଟର।

Share