ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮

ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଚୋରି ଗ୍ୟାଙ୍ଗର ୬ ସଦସ୍ୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବେଳେ ୨ଜଣ ଏବେ ବି ଫେରାର ରହିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଅଢ଼େଇ ଫୁଟର ଚନ୍ଦନ କାଠ ଓ ଗଛ କଟା କରତ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଗତିନଗର ଅଞ୍ଚଳର ଶିଶିର ବାରିକ, ବଉଳିଗଡ଼ ଅଞ୍ଚଳର ଯୁଗଳ ବାରିକ, ଅଙ୍ଗାରବନ୍ଧ ଚଟିଆମୁଣ୍ଡା ଅଞ୍ଚଳର ସନ୍ତୋଷ ବାରିକ, ଶଙ୍କର ବାରିକ, ତୁରଙ୍ଗ ଅଞ୍ଚଳର କୁନା ବେହେରାଓ ଚଟିଆମୁଣ୍ଡା ଅଞ୍ଚଳର ଜଣେ ନାବାଳକ। ନଂ. ୬୦୧/୧୯ ଓ ୬୦୩/୧୯ରେ ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ପୋଲିସ କହିଛି, ଗତ ୬ ତାରିଖ ରାତିରେ ପିଟିସି ପରିସରରୁ ଚନ୍ଦନ ଗଛ ଚୋରି ହୋଇଥିଲା। ଏହା ପର ଦିନ ଅର୍ଥାତ ୭ ତାରିଖ ରାତିରେ ଅଙ୍ଗାରବନ୍ଧ ମହିମା ମଠରୁ ମଧ୍ୟ ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚଳାଇଥିଲା। ପ୍ରଥମେ ସମ୍ପୃକ୍ତ ନାବାଳକଙ୍କୁ ଧରିବା ପରେ ପୋଲିସ ଅନ୍ୟମାନଙ୍କ ନିକଟରେ ପହଞ୍ଚିଥିଲା। ଚୋରି ଘଟଣାରେ ସମ୍ପୃକ୍ତ ଏହି ୮ ଜଣିଆ ଗ୍ୟାଙ୍ଗ ସୌକ ମେଣ୍ଟାଇବାକୁ ଏପରି ଚୋରି କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପିଟିସି ପରିସରରୁ ଚୋରି ଚନ୍ଦନ ଗଛକୁ ୩ ପିସ୍‌ କରାଯାଇଥିବା ବେଳେ ଦୁଇ ପିସ୍‌ ବିକ୍ରି ହୋଇଯାଇଛି। ଅନ୍ୟ ଏକ ପିସ୍‌କୁ ପୋଲିସ ଜବତ କରିଛି। ସେହିପରି ଅଙ୍ଗାରବନ୍ଧ ମହିମା ମଠରୁ ଚୋରି ଚନ୍ଦନ ଗଛର ଗୋଟିଏ ପିସ୍‌କୁ ପୋଲିସ ଜବତ କରିଛି। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ୧୫ ଦିନ ଧରି ଉଦ୍ୟମ ଚଳାଇଥିଲା। ଏସ୍‌ଆଇ ପ୍ରକାଶ ମାଝିଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ଟିମ୍‌ରେ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବିପ୍ଳବ ସାହୁ, ଏଏସ୍‌ଆଇ ଜୟ ସାହୁ ରହିଥିଲେ।