Categories: ଜାତୀୟ

ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ: ଝାଡ଼ଖଣ୍ଡର ୪ଟି ଜିଲାର ୧୫ ଆସନ ପାଇଁ ମତଦାନ ଆରମ୍ଭ

ରାଞ୍ଚି,୧୬।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ସକାଳ ୭ଟାଠାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୫ଟି ବିଧାନସଭା ଆସନ ପାଇଁ ମତଦାନ କରାଯାଉଥିବାବେଳେ ମଇଦାନରେ ୨୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେଥିମଧ୍ୟରୁ ୨୩ ମହିଳା ଏବଂ ୧୯୮ ପୁରୁଷ ପ୍ରାର୍ଥୀ ରହିଛନ୍ତି। ବୋକାରୋ ଆସନରେ ସର୍ବାଧିକ ୨୫ ଜଣ ନିର୍ବାଚନ ଲଢୁଛନ୍ତି। ସେହିପରି ସର୍ବନିମ୍ନ ୮ ଜଣ ପ୍ରାର୍ଥୀ ନିରସା ବିଧାନସଭା ଆସନରୁ ଲଢୁଛନ୍ତି। ବୋକାରୋ ଏବଂ ଝରିଆରେ ସର୍ବାଧିକ ୫ ଜଣ ଲେଖାଏଁ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ତେବେ ମଧୁପୁର, ଚନ୍ଦନକ୍ୟାରୀ, ସିନ୍ଦରୀ ଏବଂ ଟୁଣ୍ଡି ଆସନରେ କୌଣସି ମହିଳା ପ୍ରାର୍ଥୀ ନାହାଁନ୍ତି। ୫୯ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ୧୦ ମହିଳା ଏବଂ ୪୯ ପୁରୁଷ ଅଛନ୍ତି। ୪୭ ଲକ୍ଷ ୮୫ ହଜାର ୯ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ସେମାନଙ୍କ ମଧ୍ୟରେ ୨୫ ଲକ୍ଷ ୪୦ ହଜାର ୭୯୪ ପୁରୁଷ ଭୋଟର ଥିବାବେଳେ ୨୨ ଲକ୍ଷ ୪୪ ହଜାର ୧୩୪ ମହିଳା ଭୋଟର ଅଛନ୍ତି। ସେହିପରି ୮୧ ଜଣ କିନ୍ନର ଅଛନ୍ତି। ଏହି ପର୍ଯ୍ୟାୟରେ ୯୫ ହଜାର ୭୯୫ ଜଣ ନୂଆ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଥିବା । ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନ ଲାଗି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୂଚନାଯୋଗ୍ୟ ୨୦୧୪ରେ ଭାଜପା ଏହି ଆସନ ମଧ୍ୟରୁ ୧୨ଟିରେ ବିଜୟୀ ହୋଇଥିଲା।

Share