ଚକାଫାଟିବାରୁ ଦୁର୍ଘଟଣା: ଡିଭାଇଡର ଡେଇଁ ଅନ୍ୟ କାର ସହ ପିଟିହେଲା ଓ୍ବାଗ୍‌ନର, ୩ ଗୁରୁତର

ଭୁବନେଶ୍ୱର,୧୯।୫(ବ୍ୟୁରୋ)- ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ ଉପରେ ଶନିବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଚକା ଫାଟିଯିବାରୁ ଏକ ଓ୍ବାଗନର କାର (ଓଆର୦୨ବିଭି୯୦୦୮) ଭାରସ୍ୟାମ ହରାଇ ଡିଭାଇଡର ଡେଇଁ ଅନ୍ୟ ଏକ ଜୁପିଟର କାର (ଓଆର୦୨ବିଏ୬୩୯୯)କୁ ଜୋର୍‌ରେ ଧକ୍କା ଦେଇ ଓଲଟି ପଡିଛି। ଫଳରେ ଉଭୟ ଗାଡିରେ ଥିବା ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ଆହତଙ୍କ ମଧ୍ୟରେ ଓ୍ବାଗନର ଡ୍ରାଇଭର ନୟାପଲ୍ଲୀ ନିଉ କଲୋନୀ ଏଲ୍‌ଆଇଜି-୨୫୫ରେ ରହୁଥିବା ଆରିୟାନ ସାମଲ, ସେଥିରେ ବସିଥିବା ସୁବଳ ଦଳେଇ ଓ ଜୁପିଟର କାର୍‌ ଡ୍ରାଇଭର ଜାଗମରାର ସନ୍ତୋଷ କୁମାର ପଣ୍ଡା। ଦୁର୍ଘଟଣାଗ୍ରସ୍ତ ଦୁଇ କାର୍‌ ରାସ୍ତା ଉପରେ ପଡ଼ି ରହିବାରୁ ଅଧଘଣ୍ଟା ଧରି ସେଠାରେ ଗାଡି ମୋଟର ଅଟକି ରହିଥିଲା। ଖବର ପାଇ ଶହୀଦନଗର ପୋଲିସ ପହଞ୍ଚତ୍ ରାସ୍ତା ଉପରୁ ଗାଡି ହଟାଇବା ପରେ ଚଳାଚଳା ସ୍ବାଭାବିକ ହୋଇଥିଲା।

ସୂଚନା ଅନୁଯାୟୀ, ଓ୍ବାଗ୍‌ନର କାର୍‌ଟି ଦ୍ରୁତ ଗତିରେ ଜୟଦେବ ବିହାର ପଟୁ ରସୁଲଗଡ ଅଭିମୁଖେ ଯାଉଥିଲା। ଆଚାର୍ଯ୍ୟବିହାର ଛକ ନିକଟରେ ଓ୍ବାଗନର କାର୍‌ର ଡାହାଣ ଚକା ହଠାତ୍‌ ଫାଟି ଯାଇଥିଲା। ଫଳରେ କାର୍‌ଟି ଭାରସ୍ୟାମ ହରାଇ ବାରମ୍ବାର ଓଲଟି ଡିଭାଇଡର ପାରହୋଇ ଅପରପାର୍ଶ୍ୱ ରାସ୍ତାରେ ଜୟଦେବବିହାର ଅଭିମୁଖେ ଯାଉଥିବା ଜୁପିଟର କାର ଉପରେ ପଡିଥିଲା। ଫଳରେ ଜୁପିଟର କାର ପୂରା ଚେପା ହୋଇ ଚୁର୍‌ମାର ହୋଇଯାଇଥିଲା। ଡ୍ରାଇଭର ସନ୍ତୋଷ ପଣ୍ଡା ଭିତରେ ଚାପି ହୋଇଯାଇଥିଲେ। ତାଙ୍କ ମୁଣ୍ଡ, ମୁହଁ ସମେତ ଅନ୍ୟ ସ୍ଥାନରେ ପ୍ରବଳ ମାଡ଼ ହୋଇଥିଲା। ଦୁଇଟି କାର୍‌ରେ ଥିବା ୩ଜଣ ଚିତ୍କାର କରୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ।