ଘୋଷଣା ପୂର୍ବରୁ ଲକ୍‌ ଡାଉନ, ଲୋକେ ହଇରାଣ

କେନ୍ଦୁଝର,୨୪।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ଗତ ସୋମବାରଠାରୁ ଲକ୍‌ଡାଉନ କରାଯାଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିଦେବା ସହ ସହରରେ ଯାତାୟାତ ଉପରେ କଟକଣା ଲାଗୁ କରିବା ଫଳରେ ଅପ୍ରସ୍ତୁତ ଲୋକେ ହଇରାଣ ହେଉଛନ୍ତି। ଏଭଳି ପ୍ରଶାସନିକ ନିଷ୍ପତ୍ତିକୁ କେତେକ ସ୍ବାଗତ କରିଥିଲେ ହେଁ ବିନା ପୂର୍ବ ସୂଚନାରେ ବନ୍ଦ କରାଯିବା ଅନେକଙ୍କୁ ବ୍ୟଥିତ କରିଛି। ଯାତ୍ରୀବାହି ଗାଡି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିବାରୁ ବାହାରୁ ଆସିଥିବା ଲୋକ ମାନେ ଘରକୁ ଫେରି ପାରୁନାହାନ୍ତି। ସେହିପରି ଗ୍ରୋସରି ଦୋକାନରେ ସାମଗ୍ରୀ ଶେଷ ହୋଇଯାଇଥିବା ବେଳେ କଟକଣା କାରଣରୁ ଗୋଦାମରୁ ମାଲ ଆଣି ପାରି ନ ଥିବାରୁ ଦୋକାନ ଗୁଡ଼ିକ ବନ୍ଦ କରିଦେଉଛନ୍ତି। ଫଳରେ ରାଶନ ସାମଗ୍ରୀ ଅଭାବ ଦେଖାଦେଉଥିବାରୁ ଗ୍ରାହକ ଅସନ୍ତୋଷ ବଢୁଛି। ଗ୍ରୋସରି, ପନିପରିବା, ଔଷଧ, କ୍ଷୀର ଭଳି ଅତି ଆବଶ୍ୟକ ସାମଗ୍ରୀ ପାଇଁ ଲୋକମାନଙ୍କୁ ଯାତାୟାତ କରିବାକୁ ଅନୁମତି ମିଳିଛି। ପ୍ରଶାସନ ପକ୍ଷରୁ ମଙ୍ଗଳବାର ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକତା ନ ଥିଲେ ଘରୁ ନ ବାହାରିବାକୁ ମାଇକରେ ପ୍ରଚାର କରାଯାଉଛି।