ଘୁଞ୍ଚିଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ରେ ଶେଷ ହେବାର ଥିଲା। ହେଲେ ମେ’ ୩୧ରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଉକ୍ତ ଦିନ ହେବାକୁ ଥିବା ପରୀକ୍ଷା ଜୁନ ୪ରେ ହେବ। ଶୁକ୍ରବାର ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ମେ’ ୩୧ରେ କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ ପରୀକ୍ଷା ହେବାକୁ ଥିଲା। ସେହିପରି ବିଜ୍ଞାନ ବିଭାଗର ଗଣିତ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ପରୀକ୍ଷା ହେବାରଥିଲା। ତେବେ ନୂଆ ନିର୍ଦ୍ଦେଶ ଅନୁଯାୟୀ ଏହି ପରୀକ୍ଷା ଜୁନ ୪ରେ ହେବ। ଅନ୍ୟପଟେ ମେ’୨୧ରୁ ମେ’୨୮ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷା ପୂର୍ବ ସୂଚୀ ଅନୁସାରେ ହେବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମେ’୩୧ରେ ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗ୍ରହଣ ଥିବାରୁ ପରୀକ୍ଷାରେ ବାଧା ଉପୁଜିବା ଆଶଙ୍କା ନେଇ ଉକ୍ତ ପରୀକ୍ଷାକୁ ଘୁଞ୍ଚାଇବାକୁ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।