ଘାଟିରୁ ୧୦୦ ଫୁଟ୍‌ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର

କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ ମେଶିନ ଅପରେଟର ଗୁରୁତର ହୋଇଛନ୍ତି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ପ୍ରକାଶ ଯେ, ହିଟାଚି ମେସିନ ବୋଝେଇ କରି ଉକ୍ତ ଟ୍ରଲରଟି କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟିରୁ ୧୦୦ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ଟ୍ରଲର ଚାଳକଙ୍କ ସହ ସାଥିରେ ଥିବା ମେସିନ ଅପରେଟର ଗୁରୁତର ହୋଇଥିଲେ। ଟ୍ରଲର ଚାଳକଙ୍କ ପରିଚୟ ମିଳିପାରି ନାହିଁ। ମେସିନ ଅପରେଟର ଜଣଙ୍କ ନୟାଗଡ଼ ଜିଲା ଜହ୍ନିପୁର ପଞ୍ଚାୟତ ବିଜୁପୁର ଗ୍ରାମର କାହ୍ନା ସ୍ବାଇଁ (୧୯) ବୋଲି ଜଣାପଡ଼ିଛି। ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।